

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କ ପ୍ରଧାନମନ୍ତ୍ରୀ ମହାମାନ୍ୟ ମେଟ୍ଟେ ଫ୍ରେଡେରିକ୍ସେନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ ।
ଉଭୟ ନେତା କୋଭିଡ-19 ମହାମାରୀର ମୁକାବିଲା ଦିଗରେ ଦୁଇ ଦେଶରେ ନିଆଯାଇଥିବା ପଦକ୍ଷେପ ଉପରେ ତୁଳନାତ୍ମକ ଆଲୋଚନା କରିଥିଲେ । ସଂକ୍ରମଣ ବୃଦ୍ଧି ନ ଘଟାଇ ଲକଡାଉନ ପ୍ରତିବନ୍ଧକକୁ ହଟାଇବାରେ ଡେନମାର୍କର ସଫଳତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଭାରତୀୟ ଏବଂ ଡାନିଶ ବିଶେଷଜ୍ଞମାନେ ପରସ୍ପରର ଅନୁଭୂତିକୁ ବାଣ୍ଟିବା ପାଇଁ ଯୋଗାଯୋଗରେ ରହିବେ ବୋଲି ଏଥିରେ ସହମତି ପ୍ରକାଶ ପାଇଥିଲା ।
ଭାରତ-ଡେନମାର୍କ ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ଉଭୟ ନେତା ସେମାନଙ୍କର ଇଚ୍ଛାକୁ ଦୋହରାଇଥିଲେ ଏବଂ କୋଭିଡ ପରବର୍ତ୍ତୀ ସମୟରେ ଉଭୟ ଦେଶ କିପରି ମିଳିତ ଭାବେ କାର୍ଯ୍ୟ କରିପାରିବେ ସେ ବିଷୟରେ ଆଲୋଚନା ମଧ୍ୟ କରିଥିଲେ ।
ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ମେ’ 12, 2020ରେ ହୋଇଥିବା ସଫଳ ବୈଠକକୁ ସେମାନେ ସ୍ୱାଗତ କରିଥିଲେ ।
ସ୍ୱାସ୍ଥ୍ୟ ଗବେଷଣା, ସ୍ୱଚ୍ଛ ଓ ସବୁଜ ଶକ୍ତି ତଥା ଜଳବାୟୁ ପରିବର୍ତ୍ତନରେ ସ୍ଥିରତା ଭଳି କ୍ଷେତ୍ରଗୁଡିକରେ ପାରସ୍ପରିକ ସହଯୋଗ ପାଇଁ ଦୁଇ ନେତା ସହମତ ହୋଇଥିଲେ । ଭାରତ ଏବଂ ଡେନମାର୍କ ମଧ୍ୟରେ ଏକ ସଶକ୍ତ ରଣନୈତିକ ଭାଗିଦାରୀ ସୃଷ୍ଟି କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଉଭୟ ନେତା ରାଜି ହୋଇଥିଲେ ।