ବ୍ରହ୍ମପୁର : ଲକ୍ଡାଉନ୍ ସମୟରେ ବାହାର ରାଜ୍ୟର ଶ୍ରମିକମାନେ ଚାଲି ଚାଲି ଯାଉଥିବା ନଜିର ଆସିଛି । ସେମାନଙ୍କୁ ନିଜ ଭିଟାମାଟି ତଥା ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବାରେ ସହାୟକ ହେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁଗମ୍’କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚାଲି ଚାଲି ଆସୁଥିବା ବାହାର ରାଜ୍ୟ ତଥା ବାହାର ଜିଲ୍ଲାର ଶ୍ରମିକ ଗଞ୍ଜାମ ଜିଲ୍ଲା ସୀମାନ୍ତକୁ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ବସ୍ ଯୋଗେ ଜିଲ୍ଲା ସୀମାନ୍ତ ପାର କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଗୁରୁବାର ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ କୋଭିଡ୍ ସେଲ୍ର ନୋଡାଲ ଅଫିସର ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆଜି ପ୍ରଥମ ଦିନରେ ଚାଲି ଚାଲି ଆସିଥିବା ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶ ସୀମାରୁ ଖୋର୍ଦ୍ଧ ସୀମା ପର୍ଯ୍ୟନ୍ତ ଗୋଟିଏ ବସ୍ ଯୋଗେ ପହଞ୍ଚାଇ ଦିଆଯାଇଛି । ପଠାଯାଇଥିବା ଶ୍ରମିକମାନଙ୍କୁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଅନ୍ୟାମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ସହକାରୀ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ବୈଷୟିକ) ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024