ବ୍ରହ୍ମପୁର : ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କୋଭିଡ୍-କେୟାର ସେଣ୍ଟର ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥିର କରାଯାଇଛି । ଏବେ ସୁଦ୍ଧା ଚିହ୍ନଟ କରାଯାଇଥିବା କୋଭିଡ୍ କେୟାର ସେଣ୍ଟର ମଧ୍ୟରୁ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ କୋଭିଡ୍ କେୟାର ସେଣ୍ଟରକୁ ଦିନେ ଦୁଇଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ସ୍ଥିର କରାଯାଇଛି । ୧୦୦ ଶଯ୍ୟା ବିଶିଷ୍ଟ ଏହି କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବା ପୂର୍ବରୁ ସେଣ୍ଟର ବିଭିନ୍ନ ସ୍ଥିତିକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଯାଞ୍ଚ କରିଛନ୍ତି । ମହିଳା ଓ ପୁରୁଷ ଅନ୍ତେବାସୀଙ୍କ ନିମନ୍ତେ କେନ୍ଦ୍ରର ବିଭିନ୍ନ କକ୍ଷରେ ପଡିଥିବା ବେଡ୍, ପାନୀୟ ଜଳ, ଶୌଚାଳୟ ଏବଂ ଆନୁଷଙ୍ଗିକ ସୁବିଧା ଉପରେ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ । ଆହୁ ଯାହା ସବୁ ବାକି ରହିଛି ତାକୁ ତୁରନ୍ତ ଶେଷ କରିବା ପାଇଁ ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଟି.ଲୋକେଶ ରାଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି କେୟାର ସେଣ୍ଟର ପାଇଁ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତି ପ୍ରକ୍ରିୟାରେ ତୁରନ୍ତ ପଦକ୍ଷେପ ନେବାକୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର କାହ୍ନୁଚରଣ ପାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା , ଛତ୍ରପୁର ହସ୍ପିଟାଲ ମ୍ୟାନଜର ସନ୍ତୋଷ ପଣ୍ଡା, ସ୍ୱାସ୍ଥ୍ୟ ମିତ୍ର ଜେତେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024