ଭୁବନେଶ୍ୱର – ବାଲେଶ୍ୱର ଜିଲ୍ଲା ବାଲିଅରପାଳ ବ୍ଲକର ବିଡିଓ ପ୍ରବାସୀ ଓଡିଆ ଶ୍ରମିକଙ୍କ ପ୍ରତି କରିଥିବା ଅସଦାଚରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାପାଳଙ୍କଠାରୁ ଏ ସମ୍ପର୍କରେ ଏକ ରିପୋର୍ଟ ମଗାଯାଇଛି । ସରକାର ଏ ଘଟଣା ବିଷୟରେ ଜାଣିଛନ୍ତି ଏବଂ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମିଳିବା ପରେ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ସକାଳେ କିଛି ପ୍ରବାସୀ ଶ୍ରମିକ ଗୁଜୁରାଟରୁ ଟ୍ରେନ୍ ଯୋଗେ ବାଲେଶ୍ୱର ଆସି ସେଠାରୁ ବସରେ ବାଲିଆପାଳ ବ୍ଲକକୁ ଆସିଥିଲେ । ସେଠାରେ ସମସ୍ତଙ୍କର ନାମ ପଞ୍ଜୀକରଣ ସହ ନିଜ ନିଜ ପଂଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ଲାଗି ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ଅପେକ୍ଷା କରିବାକୁ କୁହାଯିବା ପରେ ଶ୍ରମିକମାନେ ମଧ୍ୟାହ୍ନ ସାଢେ ଗୋଟାଏରୁ ବ୍ଳକ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ଅପେକ୍ଷା କରିଥିଲେ । ବହୁ ସମୟ ଛିଡା ହେବା ପରେ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ କେତେ ସମୟ ଛିଡା ହେବୁ ବୋଲି ପ୍ରଶ୍ନ କରିଥିଲେ । ତେବେ ଏଡି ଘଟଣାରେ ବିଡିଓ ଛବିରାଣୀ ସାହୁ ଶ୍ରମିକମାନଙ୍କୁ ଗାଳି ଗୁଲଜ କରୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା ।