ମାଲକାନଗିରି – ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ପଞ୍ଚାୟତ ଅର୍ନ୍ତଗତ ନଙ୍ଗଳଗୁଡା ଗ୍ରାମର ହାତୀ ମାଡିଙ୍କ ସ୍ତ୍ରୀ ଚନ୍ଦ୍ରମା ମାଡିଙ୍କ ପ୍ରସବଜନିତ ଯନ୍ତ୍ରଣା ଅସହ୍ୟ ହେବାରୁ ମେଡିକାଲ ନେବା ପାଇଁ ତାଙ୍କୁ କିଛି ବାଟ ଚଲାଇ ଚଲାଇ ନେବା ପରେ କାନ୍ଧରେ ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ଜିଲ୍ଲାରେ ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ରକୁ ପୁଣି ଥରେ ଗଣମାଧ୍ୟମ ସାମ୍ନାକୁ ଆଣିଛି ।
ଆପଣମାନେ ପ୍ରସୂତୀକୁ କାନ୍ଧରେ ବୋହି ନେବାର ଦେଖିଥିବେ, ନଦୀ ପାର୍ କରାଇବାର ଦେଖିଥିବେ, କିନ୍ତୁ ଏଥର ଘଟଣାଟି ଅଲଗା ପ୍ରକାରର । ଏଠାରେ ଜଙ୍ଗଲ ନାହିଁ, ପାହାଡ଼ ନାହିଁ କି ନଦୀ ନାଳ ମଧ୍ୟ ନାହିଁ । ଗ୍ରାମକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା ଖରାପ ହୋଇଥିବା ଯୋଗୁଁ ପ୍ରସୂତୀକୁ ତାଙ୍କର ଦୁଇ ଜଣ ସମ୍ପର୍କୀୟ ଓ ଆଶାକର୍ମୀ ପ୍ରଥମେ କିଛି ଦୂର ମୋଟର ସାଇକେଲରେ, ଏହାପରେ କିଛି ବାଟ ଚଲାଇ ଚଲାଇ ଓ ବାଟରେ ଯନ୍ତ୍ରଣା ବଢିବାରୁ ଆଉ କିଛି ବାଟ କାନ୍ଧରେ ବୋହି ନେଇଥିଲେ । ମୁଖ୍ୟ ରାସ୍ତାରେ ପହଂଚିବା ପରେ ସେଠାରୁ ଏକ ଅଟୋ ସାହାଯ୍ୟରେ ପ୍ରସୂତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।