ଭୁବନେଶ୍ୱର – କେନ୍ଦ୍ରାପଡା ଜିଲ୍ଲାରେ ଆଉ ୧୩ ଜଣ କରୋନା ସଂକ୍ରମିତ ହୋଇଛନ୍ତ ବୋଲି ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ଏମାନେ ମହାକାଳପଡା, କେନ୍ଦ୍ରାପଡା ଓ କନିକା ବ୍ଲକର । ଏମାନେ ସମସ୍ତେ ସୁରତ ଫେରନ୍ତା ଓ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଏମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କୁ କୋବିଡ ହସପିଟାଲରେ ଭର୍ତି କରା ଯାଇଛି । ସେମାନେ କାହା ସହ ମିଶି ନ ଥିଲେ । ତେଣୁ କେହି ଭୟଭୀତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।
ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବେବସାଇଟରେ ଏ ସମ୍ପର୍କରେ କୌଣସି ସୂଚନା ଦିଆ ଯାଇନାହିଁ । ବେବସାଇଟରେ ଦିଆ ଯାଇଥିବା ତଥ୍ୟ ଅନୁସାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୧ ରହିଛି ।
ଖୋର୍ଧା ଜିଲ୍ଲାର ତିନି ଜଣ ଯାକ ଆକ୍ରାନ୍ତ ଟାଙ୍ଗୀ ବ୍ଲକର
ଆଜି ଖୋର୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ତିନି ଜଣ ଯାକ କରୋନା ଆକ୍ରାନ୍ତ ଟାଙ୍ଗୀ ବ୍ଲକର । ଏମାନେ ଲେଣ୍ଡ, କୁହୁଡି ଓ ବାଣପୁର ପଂଚାୟତର । ସଙ୍ଗରୋଧ କେନ୍ଦ୍ର ଗୁଡିକର ଆଖପାଖରେ ଧାରା ୧୪୪ ଜାରୀ କରା ଯାଇଛି । ଏହି ତିନି ଜଣ ଯାକ ଆକ୍ରାନ୍ତଙ୍କୁ ଭୁବନେଶ୍ୱର ସମ କୋବିଡ ହସପିଟାଲରେ ଭର୍ତି କରା ଯାଇଥିବା ଖୋର୍ଧା ଜିଲ୍ଲାପାଳ କହିଛନ୍ତି ।
କଟକରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୧୨୯ ଜଣଙ୍କ ଠାରୁ ଆଦାୟ ହେଲା ଜୋରିମାନା
କଟକରେ ଗତ ୨୪ ଘଂଟା ମଧ୍ୟରେ ୧୨୯ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପିଙ୍କ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
୫ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ
ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ୫ ଜଣଙ୍କୁ ଗିରଫ କରା ଯାଇଛି । ୫ ଟି ମାମଲା ରୁଜୁ କରା ଯାଇଥିବା ସହ ଏହି ଅବଧି ମଧ୍ୟରେ ୨୯୪ ଟି ବାହନରେ ଚାଲାଣ କଟା ଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୧୫୮ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଥିବା ବେଳେ ୬୩ ଲିଟର ମଦ ଜବତ କରା ଯାଇଛି ।
ରାଜ୍ୟରେ ଗତ ୨୪ ଘଂଟାରେ ୧୩ଟି ମାମଲା
ଗତ ୨୪ ଘଂଟାରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନକୁ ନେଇ ୧୩ଟି ମାମଲା ରୁଜୁ ହୋଇଛି େ ବାଲି ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି । ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ଯେ ଲକଡାଉନ ଉଲ୍ଲଂଘନକୁ ନେଇ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ହୋମ କ୍ୱାରେଂଟାଇନ ଗାଇଡ ଲାଇନ ଉଲ୍ଲଂଘନ ସମ୍ପର୍କିତ ତିନୋଟି ମାମଲା ରୁଜୁ କରା ଯାଇଥିବା ଏଥିରେ ପ୍ରକାଶ କରା ଯାଇଛି ।