-
ସମଗ୍ର ଲକ୍ ଡାଉନ୍ ସମୟତକ ଭାବିଲେ ଅସହାୟ ଲୋକଙ୍କ ଦୁଃଖକଥା
-
ରିକ୍ସାବାଲା ଠୁ ହକର୍ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପହଞ୍ଚାଇଲେ ରାସନ ଓ ଖାଦ୍ୟ
-
ବିଜୁ ଛାତ୍ର ଜନତାଦଳକୁ ଲଗାଇଲେ ନିରନ୍ତର ସେବାମୂଳକ କାର୍ଯ୍ୟରେ
ବାଲେଶ୍ୱର, (କୃଷ୍ଣ କୁମାର ମହାନ୍ତି) ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ନେଇ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଜନଜୀବନ ଏକପ୍ରକାର ମହାବିପତ୍ତି ଭିତରେ ଛନ୍ଦି ହୋଇଯାଇଛି। ସର୍ବତ୍ର ହାହାକାର ସାଙ୍ଗକୁ ଭୋକ ଓ ଭୟର ବାତାବରଣ। ସବୁଠି ‘ଲକ୍-ଡାଉନ୍’ ଓ ନାହିଁ ନାହିଁର ପରିବେଶ। ମଣିଷ ଗୃହବନ୍ଦୀ, ସଙ୍ଗରୋଧ, ଶାରୀରିକ ଦୂରତା, ଅବରୋଧ, ଏକାନ୍ତବାସ ଭିତରେ ୫୦ ଦିନରୁ ବେଶି ଅତିକ୍ରାନ୍ତ କରି ବେହାଲ୍ ଅବସ୍ଥାରେ ଅଛନ୍ତି।
ବିଭିନ୍ନ ଦେଶରେ ତାଲା ପକାଇ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ, ଓଡିଶାରେ ଦିନକୁ ଦିନ ପ୍ରବାସୀଙ୍କ ଓଡିଶା ପ୍ରତ୍ୟାବର୍ତ୍ତନ ସହ ତାଳ ଦେଇ କରୋନା ପଜିଟିଭ୍ ସଂଖ୍ୟା ମଧ୍ୟ ମାତ୍ କରୁଛି। ଏହା ସରକାର ଓ ଶାସନକଳକୁ ଚିନ୍ତାରେ ପକାଇଥିଲେ ମଧ୍ୟ ଓଡିଶା ସରକାର ସୁଚାରୁରୂପେ କରୋନା ମ୍ୟାନେଜମେଣ୍ଟ କରିପାରିଥିବାରୁ ଲୋକଙ୍କ ଭିତରେ ଆସ୍ଥା ଭାବ ଦେଖା ଦେଇଛି।
ଠିକ୍ ସେଇପରି ବାଲେଶ୍ଵର ଜିଲ୍ଲାରେ ମଧ୍ୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ତେବେ ଲଗାତାର ବେପାରବଣିଜ, ଦୋକାନପତ୍ର ଓ କଳକାରଖାନା ବନ୍ଦ ରହିବାରୁ ବାଲେଶ୍ଵରରେ ଗରୀବ ଅସହାୟ ଓ ଦିନମଜୁରିଆ ଲୋକଙ୍କ ଭିତରେ କେମିତି ବଞ୍ଚିବେ ସେନେଇ ଏକ ପ୍ରକାର କୋକୁଆ ଭୟ ଦେଖା ଦେଇଛି। ଦୈନନ୍ଦିନ ଶ୍ରମ କରି ଗୁଜୁରାଣ ମେଣ୍ଟାଉଥିବା ଲୋକେ ଏବଂ ଉଠାଦୋକାନୀ, ଛୋଟମୋଟ ଦୋକାନ କରି ଜୀବନ ନିର୍ବାହ କରୁଥିବା ଲୋକମାନେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି କରୋନାର ତାଲାବନ୍ଦ ଯୋଗୁଁ। ଏଣେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଲୋକମାନେ ନିଜ ନିଜ ଘରେ ରହୁଥିବା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ କିଛି ଲୋକଙ୍କ ପାଇଁ ବଞ୍ଚିବା ଦୁର୍ବିସହ ହୋଇପଡିଛି କହିଲେ ଭୁଲ ହେବ ନାହିଁ।
କିନ୍ତୁ ନିଜ ଜିଲ୍ଲାର ଏହି ଅସହାୟ ଲୋକମାନଙ୍କ ପାଇଁ ଆଶାର କିରଣ ହୋଇ ଉଭା ହୋଇଛନ୍ତି ‘ବାଲେଶ୍ଵରର ବିକାଶପୁରୁଷ’ ଭାବରେ ଖ୍ୟାତ ଇଂ. ରବୀନ୍ଦ୍ର କୁମାର ଜେନା। ପୂର୍ବତନ ସାଂସଦ ତଥା ସରକାରୀ ଦଳ(ବିଜେଡି)ର ଜିଲ୍ଲା ସଭାପତି ମଧ୍ୟ। ଲକ୍ ଡାଉନ୍ ଆରମ୍ଭରୁ ଅଦ୍ୟାବଧି ଶ୍ରୀଜେନା ଅନବରତ ସହାୟତା କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ନିଜ ଉଦ୍ୟମରେ ସେ ପ୍ରଥମେ ବାଲେଶ୍ଵର ଷ୍ଟେସନ ଉପରେ ନିର୍ଭରଶୀଳ ଯାତ୍ରୀ ସହାୟକଙ୍କୁ ଖାଦ୍ୟସାମଗ୍ରୀ ଦେଇ ଶୁଭାରମ୍ଭ କରିଥିଲେ ତାଙ୍କର ଏହି ମହତ ପ୍ରୟାସ। ପାଖାପାଖି ୫୦ ଷ୍ଟେସନ ଯାତ୍ରୀ ସହାୟକ ପରିବାର ସଦସ୍ୟଙ୍କ ମୁହଁରେ ହସ ଫୁଟାଇଥିଲେ ଶ୍ରୀଜେନା। ପରେ ପରେ ବାଲେଶ୍ଵର ହକର୍ ସଂଘ ମାଧ୍ୟମରେ ପ୍ରାୟ ୧୨୫ ଜଣ ଖବରକାଗଜ ବିକ୍ରେତା ଏବଂ ସହରର ହକରଙ୍କୁ ଘରର ରାସନ ପାଇଁ ଆବଶ୍ୟକ ଜରୁରୀ ଖାଦ୍ୟସାମଗ୍ରୀ ଯୋଗାଇ ଦେଇଥିଲେ। କେବଳ ସେତିକି ନୁହେଁ ଏହା ପରେ ସେ ଅଟକି ଯାଇନଥିଲେ। ବାଲେଶ୍ୱର ରେଳ ଷ୍ଟେସନ ଉପରେ ନିର୍ଭର କରୁଥିବା ପ୍ରାୟ ୩୬ ଟ୍ୟାକ୍ସି ଡ୍ରାଇଭରଙ୍କୁ ରାସନ ପ୍ରଦାନ କରିଥିଲେ।
ବୋଧହୁଏ ଏଇ ଅସମୟରେ ଶ୍ରୀଜେନା ରାତି ପାହିବା ଠୁ ସନ୍ଧ୍ୟା ହେବା ଭିତରେ ମନ ଭିତରେ କେବଳ ଦୁଃଖୀଜନଙ୍କ କଥା ହିଁ ଭାବୁଥିଲେ। କିଛି ଦିନ ଅନ୍ତରରେ ସେ ତାଙ୍କ ସହାୟତା କାର୍ଯ୍ୟ କୁ ନିୟମିତ ଚାଲୁ ରଖୁଥିଲେ। ଜିଲ୍ଲାର ବିଭିନ୍ନ ଅଟୋ ଚାଳକ ମାନେ ବହୁ ଅସୁବିଧାରେ ଥିବା କଥା ଚିନ୍ତା କରି ଜିଲ୍ଲାର ପ୍ରାୟ ୭୦୦ ଅଟୋ ଡ୍ରାଇଭରଙ୍କୁ ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ। ସେହିପରି କରୋନା କାରଣରୁ ସରକାରୀ ନିର୍ଦ୍ଦେଶ ଯୋଗୁଁ ସମସ୍ତ ସେଲୁନ୍ ବନ୍ଦ ଥିବାରୁ ସେସବୁ ସେଲୁନରେ କାର୍ଯ୍ୟ କରି ଚଳୁଥିବା ବାରିକମାନେ ନାହିଁ ନଥିବା ଅସୁବିଧାରେ ସଢୁଥିଲେ। ଏହାକୁ ଅନୁଭବ କରି ଜିଲ୍ଲାର ପ୍ରାୟ ୧୦୦ ବାରିକ କର୍ମ କରୁଥିବା ବ୍ୟକ୍ତିଙ୍କୁ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ପ୍ରଦାନ କରିଥିଲେ।
ଏହା ବ୍ୟତୀତ ଶ୍ରୀ ଜେନାଙ୍କ ନଜରରୁ ବାଦ୍ ପଡିନଥିଲେ ରିକ୍ସା ଚଳାଇ ପେଟ ପୋଷୁଥିବା ମଣିଷମାନେ। ପାଖାପାଖି ୫୦୦ ରିକ୍ସାଚାଳକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରି ସେମାନଙ୍କ ମୁହଁରେ ଫୁଟାଇଥିଲେ ହସ। ସେହିପରି ସହଦେବଖୁଣ୍ଟା ବସଷ୍ଟାଣ୍ଡରେ ଖବରକାଗଜ, ପତ୍ରିକା ବିକି ଚଳୁଥିବା ୩୦ ହକର୍ ତଥା ହିନ୍ଦ ମଜଦୁର ସଭାର ପ୍ରାୟ ୬୦ ଜଣ ସଦସ୍ୟଙ୍କୁ ସାହାଯ୍ୟ କରିଛନ୍ତି।
କେବଳ ଏତିକି ନୁହେଁ, ସେ ଏଠାରେ ଥିବା ନୋସି ବିଜନେସ୍ ପାର୍କକୁ ଏକ କୋରେଣ୍ଟାଇନ୍ କେନ୍ଦ୍ର ଏବଂ ଡାକ୍ତରଖାନାରେ ପରିଣତ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରି ସଫଳ ହୋଇଥିଲେ। ତାଙ୍କ ଉଦ୍ୟମ ଫଳରେ ଆଜି ନୋସି ବିଜନେସ୍ ପାର୍କରେ ୩୦୦ ରୁ ଅଧିକ ଶଯ୍ୟା ବିଶିଷ୍ଟ ଏକ କୋରେଣ୍ଟାଇନ୍ କେନ୍ଦ୍ର ଖୋଲାଯାଇ ପାରିଛି। ଏହାଛଡା ସେ ନିରନ୍ତର ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିବା ଓ ଲୋକଙ୍କ ଅସୁବିଧା ବିଷୟରେ ଅବଗତ କରାଇବା କାର୍ଯ୍ୟରେ କେବଳ ଲାଗିନାହାନ୍ତି, ତାର ସମାଧାନର ବାଟ ମଧ୍ୟ ବାହାର କରୁଛନ୍ତି। ଶ୍ରୀଜେନା ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବା ଘରବାହୁଡା ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇବା ସହ ଲକ୍ଷ୍ମଣନାଥ (ଓଡିଶା ସୀମା)ରେ ଅଧିକ ସହାୟତା ଡେସ୍କ ଖୋଲିବାକୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଶ୍ରୀଜେନା ହୁଏତ ନିର୍ବାଚନ ରଣାଙ୍ଗନରେ କପଟପାଶାରେ ହାରିଛନ୍ତି, କିନ୍ତୁ ଏକଥା ସତ୍ୟ ଯେ ଆଜି ବି କେହି ଲିଭାଇ ପାରିନି ତାଙ୍କ ଭାବମୂର୍ତ୍ତି ଓ ଲୋକପ୍ରିୟତା। ତାଙ୍କର ଏହି ଭାବମୂର୍ତ୍ତି ହିଁ ସାଧାରଣ ଲୋକଙ୍କ ମଧ୍ୟରେ ସୃଷ୍ଟି କରିଛି ଅଫୁରନ୍ତ ଉତ୍ସାହ ଆଉ ଆଶା।
‘ଇଣ୍ଡୋକଳିଙ୍ଗ ଟାଇମ୍ସ’ ସହିତ ଏକ ଅନୌପଚାରିକ ସାକ୍ଷାତକାର ବେଳେ ସେ ବାଲେଶ୍ୱରର ଲୋକଙ୍କୁ ପୁନଃ ପୁନଃ ନିବେଦନ କରିଛନ୍ତି କି କରୋନାକୁ ଏଡାଇବା ପାଇଁ ଲକ୍-ଡାଉନ୍ ବର୍ତ୍ତମାନ ଏକମାତ୍ର ଉପାୟ ହୋଇଥିବାରୁ ବାଲେଶ୍ଵରବାସୀ ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆଜି ପର୍ଯ୍ୟନ୍ତ ପ୍ରାପ୍ତ ତାଙ୍କର ସାଂସଦ ପେନସନ ଅର୍ଥରାଶି ଦୁଇ ଲକ୍ଷ ୨୯ ହଜାର ୮୩୯ ଟଙ୍କା ଦାନ କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତାମାନେ ଗରିବ ବସ୍ତିବାସିନ୍ଦା ତଥା ବିଭିନ୍ନ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ରନ୍ଧାଖାଦ୍ୟ, ମାସ୍କ, ସାନିଟାଇଜର୍ ଯୋଗାଇବା କାର୍ଯ୍ୟ ଜାରି ରଖିବା ସହ ଟ୍ରେନ୍ ଯୋଗେ ଆସୁଥିବା ମାଇଗ୍ରେଣ୍ଟ୍ ବ୍ୟକ୍ତିମାନଙ୍କୁ ସ୍ଵାଗତ କରୁଛନ୍ତି ନିଜକୁ ସୁରକ୍ଷିତ ରଖି।
‘ବାଲେଶ୍ଵରର ବିକାଶପୁରୁଷ’ ଇଂଜିନିୟର ରବୀନ୍ଦ୍ର କୁମାର ଜେନା କରୋନା ଲଢେଇର ଏ ବିପତ୍ତି ସମୟରେ ‘ବିପଦର ବନ୍ଧୁ’ ଭାବରେ ବାଲେଶ୍ଵର ବାସୀଙ୍କ ସହିତ ରହି ଜନମାନସର ନାୟକ ବନି ପାରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।