ନୂଆଦିଲ୍ଲୀ , ଦିଲ୍ଲୀ ପୋଲିସ ପୂର୍ବତନ ସାଂସଦ ପପ୍ପୁ ଯାଦବଙ୍କ ବିରୋଧରେ ଲକଡାଉନ ଆଦେଶ ଉଲଂଘନ କରିବା ଅଭିଯୋଗରେ ମାମଲା ରୁଜୁ କରିଛି । ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ବିହାରର ଶ୍ରମିକମାନେ ନିଜର ଗୃହ ରାଜ୍ୟକୁ ଯିବା ପାଇଁ ପ୍ରଦର୍ଶନ କରୁଥିବା ସମୟରେ ପପ୍ପୁ ଯାଦବ ଦିଲ୍ଲୀର ଓଖଲା ମଣ୍ଡିରେ ବିହାରର ପ୍ରବାସୀ ଶ୍ରମିକଙ୍କୁ ଭେଟିବାକୁ ଯାଇଥିଲେ ।
ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ ଅଧିକାରୀ କହିଛନ୍ତି, ପପ୍ପୁ ଯାଦବ ପ୍ରବାସୀମାନଙ୍କୁ ଆଶ୍ୱସନା ଦେଇଥିଲେ ଯେ, ସେ ଶ୍ରମିକମାନଙ୍କର ଅସୁବିଧାକୁ ସରକାରଙ୍କୁ ଅବଗତ କରାଇବେ । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଖୁବ ଶୀଘ୍ର ଆବଶ୍ୟକ ବ୍ୟବସ୍ଥା କରାଯିବ । ଲକଡାଉନ ନିୟମ ଉଲଂଘନ କରିଥିବାରୁ ପୂର୍ବତନ ସାଂସଦ ପପ୍ପୁ ଯାଦବଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।
ସୂଚନାଯୋଗ୍ୟ, ପପ୍ପୁ ଯାଦବ ବିହାରର ମଧେପୁରାରୁ ସାଂସଦ ହୋଇଥିଲେ ଏବଂ ସେ ଏବେ ଜନ ଅଧିକାର ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ଲକଡାଉନ ତୃତୀୟ ପର୍ଯ୍ୟାୟ ଜାରି ଥିବା ବେଳେ ଦିଲ୍ଲୀରୁ ବିହାରର ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି । କେବଳ ବିହାର ନୁହେଁ ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ମଧ୍ୟ ନିଜର ଗୃହ ରାଜ୍ୟକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି ।