ଭୁବନେଶ୍ୱର । ରାଜ୍ୟରେ ଗୋଟିଏ ଦିନରେ ୧୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଶହ ଟପି ମୋଟ ୫୩୮ରେ ପହଂଚିଛି ।
ଏହି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ସବୁଠାରୁ ଅଧିକ ୫୨ ଜଣ ଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୩୩, ଯାଜପୁର ଜିଲ୍ଲାରୁ ୭, ସୁନ୍ଦରଗଡ ଜିଲ୍ଲାରୁ ୭ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏହି ୧୦୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ କଂଟେନମେଂଟ ଜୋନରୁ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ତିନି ଜଣ ଚିହ୍ନଟ ହୋଇଛନ୍ତି ।
ଗଂଜାମରେ ୫୨ ଜଣ ଯାକ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରେ ଦୁଇ ଜଣ ଓ ଯାଜପୁର ଜିଲ୍ଲାର ସାତ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ।
ବାଲେଶ୍ୱରରେ ଚିହ୍ନଟ ହୋଇଥିବା ୩୩ ଜଣଙ୍କ ମଧ୍ୟରୁ ୨୯ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଜଣେ କଂଟେନମେଂଟ ଜୋନରୁ ତଥା ତିନି ଜଣ ସ୍ଥାନୀୟ ପ୍ରାଥମିକ ସମ୍ପର୍କରୁ ଆକ୍ରାନ୍ତ ହୋଇଥିବା ଜଣା ପଡିଛି ।
ସେହିପରି ଭାବରେ ସୁନ୍ଦରଗଡର ସାତଟି ନୂଆ ମାମଲା ମଧ୍ୟରେ ସମସ୍ତ କଂଟେନମେଂଟ ଜୋନରେ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୂର୍ବବର୍ତୀ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବାରୁ ସଂକ୍ରମିତ ହୋଇଥିବା ସୂଚନା ଦିଆ ଯାଇଛି ।
ବାଲେଶ୍ୱରରେ ୩୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ ସୁରତ ଫେରନ୍ତା , ୩ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ତଥା ୨ ଜଣ ବେଙ୍ଗାଲୁରୁ ଫେରନ୍ତା ତଥା ଜଣେ କଂଟେନମେଂଟ ଜୋନ ଏବଂ ତିନୋଟି ସ୍ଥାନୀୟ ମାମଲା ରହିଛି ।