
ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଓଡ଼ିଆ ଯେତେ ଆସୁଛନ୍ତି ସେତେ ପରିମାଣରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବ୍ରହ୍ମପୁର ସହରରେ ଥିବା କିଛି ସଙ୍ଗରୋଧ ଗୃହରେ କୁଆଡେ କରୋନା ରୋଗୀ ଚିହ୍ନଟପରେ ସହରବାସୀଙ୍କୁ ଅଜଣା ଚିନ୍ତା ଘାରି ଦେଇଛି । ସେପଟେ ସହରରେ ସକାଳ ୭ରୁ ସନ୍ଧ୍ୟା ୭ ଦୋକାନ ବଜାର ଖୋଲିବା ପାଇଁ ବିଏମ୍ସି ପୂର୍ବରୁ ଅନୁମତି ଦେଇଥିଲା । ତେବେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ରେଡ୍ ଜୋନ୍ ଜାରି ରହିଥିବା ବେଳେ ରେଡ୍ ଜୋନ୍ର ନୀତିନିୟମ ଅନୁସାରେ ଦୋକାନ ବଜାର ଖୋଲାଯିବା ପାଇଁ ମଙ୍ଗଳବାର ବିଏମ୍ସି କର୍ତ୍ତୃପକ୍ଷ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ଥିବା ନିର୍ଦ୍ଦେଶନାମାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସକାଳ ୭ରୁ ସନ୍ଧ୍ୟା ୭ଟା ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଲାଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ସେଥିରେ ଇଲେକ୍ଟ୍ରି ସପ୍, ଫେନ୍ ତିଆରି ଦୋକାନ, ବଲ୍ବ, ୱାରି, ସୁଇଚ୍ ବିକ୍ରି ଦୋକାନ ସହ ସମସ୍ତ କୃଷି ସମ୍ବନ୍ଧୀୟ ସାମଗ୍ରୀ ବିକ୍ରି ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ମଧ୍ୟାହ୍ନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତି ଗିଫ୍ଟ, ଲୁଗା, ସୁନା, ଲେଡିସ୍ କର୍ଣ୍ଣର, ଇଣ୍ଟରନେଟ୍ କେଫ୍, ମୋବାଇଲ୍ ରିଚାର୍ଜ, ଜେରେକ୍ସ ସପ୍, ବହି ଦୋକାନ, ଫଟୋ ଷ୍ଟୁଡିଓ, ଲେବ, ଟେଲ୍ରିଂ ଦୋକାନ, ଇଲେକ୍ଟ୍ରନିକ୍ ଶୋ ରୁମ୍, ମୋବାଇଲ୍ ଦୋକାନ, ମୋଟର ସାଇକେଲ୍ ଓ ୪ଚକିଆ ଗ୍ୟାରେଜ୍, ସ୍ପ୍ରେ ପାର୍ଟ, ଇଲେକ୍ଟ୍ରନିକ୍ ଏବଂ ଘରକରଣ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ସହ ମୋବାଇଲ୍, ଟିଭି, କମ୍ପ୍ୟୁଟର ଦୋକାନଗୁଡିକରେ ସମଦୂରତା ରକ୍ଷାକରି ବିକ୍ରି କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ମଲ୍ ଓ ଗ୍ରାଣ୍ଡ ଶୋ ରୁମ୍ ତଥା ମାର୍କେଟ କମ୍ପେ୍ଲକ୍ସ ମଧ୍ୟ ସମଦୂରତା ରକ୍ଷାକରି ବିକ୍ରି କରିପାରିବେ ବୋଲି ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ସେହିପରି ପୂର୍ବରୁ ଦିଆଯାଇଥିବା ନିୟମ ଓ ସମୟକୁ ଆଧାରକରି ସମଦୂରତା ରକ୍ଷାକରି ରେଷ୍ଟୁରାଣ୍ଟ, ହୋଟେଲ, ମେଡିସିନ ଦୋକାନ, କ୍ଲିନିକ୍, ଘରୋଇ ହସ୍ପିଟାଲ ଖୋଲାଯିବା ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ଯେକୌଣସି ବ୍ୟବସାୟ ବା ଅନୁଷ୍ଠାନ ନ ମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ବୋଲି ଜଣାପଡିଛି । ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ମଙ୍ଗଳବାର ଦିନ ଏହି ନିର୍ଦ୍ଦେଶନାମା ଜାରି କରିବାପରେ ସହରବାସୀ ଖୁସିବ୍ୟକ୍ତ କରିଛନ୍ତି ।