
ବ୍ରହ୍ମପୁର: ଜିଲ୍ଲାରେ ୪୫ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସି ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ବା ସଙ୍ଗରୋଧ ଗୃହରେ ରହିଛନ୍ତି । ଦିନକୁ ଦିନ ପ୍ରବାସୀଙ୍କ ଆସିବା ବଢ଼ୁଥିବା ବେଳେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ରାଜ୍ୟର ହଟ୍ସ୍ପଟ୍ ଭାବେ ଜିଲ୍ଲାରେ ବର୍ତ୍ତମାନ ୧୫୪କୁ ଛୁଇଁଲାଣି । ଏହାର ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସର୍ତକମୂଳକ ପଦକ୍ଷେପ ନିଆଯାଉଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନୂତନ ଭାବେ ୪ଟି କୋଭିଡ-୧୯ ହସ୍ପିଟାଲ ଯୁଦ୍ଧକାଳୀନ ପରିସ୍ଥିତିରେ ପ୍ରସ୍ତୁତ ଚାଲିଛି । ଶୀତଳାପଲ୍ଲୀ ଠାରେ ବର୍ତ୍ତମାନ ଚିହ୍ନଟ ହୋଇଥିବା ସମସ୍ତ ରୋଗୀ ଚିକିତ୍ସିତ ହେଉଛନ୍ତି । ହିଞ୍ଜିଳିକାଟୁ ଆର୍ଏମ୍ସି ପରିସରରେ ନୂତନ ଭାବେ ଉପଖଣ୍ଡ ଚିକିତ୍ସାଳୟ ନିର୍ମାଣଧିନ ରହିଥିବା ବେଳେ ସେଠାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରସ୍ତୁତ ପାଇଁ ଜୋର୍ଦାର ଉଦ୍ୟମ ଜାରି ରହିଛି । ଆସନ୍ତା ୨ରୁ ୧ସପ୍ତାହ ମଧ୍ୟରେ ଏଠାରେ କୋଭିଡ-୧୯ ହସ୍ପିଟାଲର କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ହିଞ୍ଜିଳିକାଟୁ ପୌରାଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ୯୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ସଙ୍ଗରୋଧ ଗୃହରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୪ଟି ସ୍ଥାନରେ ନୂତନ ହସ୍ପିଟାଲ ପ୍ରସ୍ତୁତି ଚାଲିଥିବା ବେଳେ ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସ୍ୱାସ୍ଥ୍ୟ ଟିମ୍ ଓ ପ୍ରବେସନାରୀ ଆଇଏଏସ୍ ଅନ୍ୱେଷା ରେଡ୍ଡୀ ପ୍ରମୁଖ ହିଞ୍ଜିଳିରେ ପହଞ୍ôଚ କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକୀୟ ଡାକ୍ତର, ଉପକରଣ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଥିଲେ । ଗସ୍ତ ସମୟରେ ବିଡିଓ ପ୍ରସନ୍ନ କୁମାର ପାତ୍ର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ମନୋରଞ୍ଜନ ସାହୁ, ତହସିଲଦାର ଗୋପୀନାଥ କହଁର ପ୍ରମୁଖ ଉପସ୍ଥିତ ଥିଲେ ।