-
ପଢା ହେଲା ଓଡ଼ିଆ, ହିନ୍ଦୀ ଓ ଇଂଲିଶ୍ ଭାଷାରେ ଗଳ୍ପ ଓ କବିତା
-
ଭାଗନେଲେ ରାଜ୍ୟ ତଥା ଦେଶବିଦେଶର ପ୍ରବାସୀ ଭାରତୀୟ ଲେଖକ
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ)
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ପ୍ରତିଶ୍ରୁତିବଦ୍ଧ ‘ତପସ୍ୟା ଫାଉଣ୍ଡେସନ’ ପକ୍ଷରୁ ଏକ ତ୍ରିଭାଷୀ ଅନ୍ ଲାଇନ୍ ଅଳ୍ପଗଳ୍ପ ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ମଧ୍ୟରାତ୍ରି ସମୟରେ ଲେଖକମାନେ ଘରେ ଥାଇ ଜୁମ୍ ପ୍ଲାଟଫର୍ମ ଆପ୍ଲିକେସନ ମାଧ୍ୟମରେ ଏହି ଆସର ସମ୍ପନ୍ନ କରିଛନ୍ତି। ଏଥିରେ ଭାରତ ଓ ଭାରତ ବାହାରେ ରହୁଥିବା ଗାଳ୍ପିକ ଓ କବିମାନେ ଅଂଶ ଗ୍ରହଣ କରିଥିଲେ। ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ତପନ କୁମାର ପଣ୍ଡା ମୁମ୍ବାଇରୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଲକଡାଉନ୍ ଚାଲିଥିବାରୁ ସାମାଜିକ ଅନୁଷ୍ଠାନ ଓ ସଭାସମିତି ପ୍ରାୟତଃ ସମ୍ଭବ ହେଇ ପାରୁନଥିବାରୁ ଅନଲାଇନ ମାଧ୍ୟମରେ କବିତା ଓ ଗଳ୍ପ ପାଠୋତ୍ସବ କରିବାକୁ ଅଣ୍ଟା ଭିଡିଛି ତପସ୍ୟା ଫାଉଣ୍ଡେସନ। ଏହା ମଧ୍ୟ ଲେଖକଲେଖିକାଙ୍କୁ ଗୃହବନ୍ଦୀର ଜୀବନରେ ବେଶ୍ ଆନନ୍ଦ ଦେଉଥିବା ଦେଖାଯାଉଛି।
ଗତକାଲିର ଏହି ଆସରରେ ବ୍ରିଟେନ, ଆମେରିକା, ନରଓ୍ବେରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସମେତ ନୂଆଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ, ବେଙ୍ଗାଲୁରୁ, ରାଞ୍ଚିର ଲେଖକ, ଲେଖିକାମାନେ ଅନ୍ ଲାଇନ୍ ରହି ସ୍ବରଚିତ ଅଣୁ ଗଳ୍ପ ଓ କବିତା ପାଠ କରିଥିଲେ। ଅନ୍ୟ ପକ୍ଷରେ ଓଡ଼ିଶାର ଭବାନୀପାଟଣା, ଭୁବନେଶ୍ୱର, ଖୋର୍ଦ୍ଧା, ଜାରକା, ବାଲେଶ୍ଵର ଓ ଭଦ୍ରକ ଆଦି ସ୍ଥାନରୁ ମଧ୍ୟ ଲେଖକଲେଖିକାମାନେ ଅଂଶ ଗ୍ରହଣ କରିଥିଲେ। ଆସରରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲିଖିତ ଅଣୁ ଗଳ୍ପ ଓ କବିତା ପାଠ କରାଯାଇଥିଲା।
କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସାହିତ୍ୟିକମାନଙ୍କ ମଧ୍ୟରେ ଥିଲେ, ଗ୍ଲାସଗୋରୁ ଗାର୍ଗୀ ସରକାର, ନରୱେରୁ ଈନ୍ଦର ରିଷି, ଲଣ୍ଡନରୁ ପ୍ରାଚୀ ଗର୍ଗ, ସିନସିନାଟି ( ଆମେରିକା)ରୁ ଦେବାଶିଷ କାନୁନଗୋ, ବେଙ୍ଗାଲୁରୁରୁ ପଙ୍କଜ ଗୁପ୍ତା, ରାଞ୍ଚିରୁ ରାଜେନ୍ଦ୍ର ତିଓ୍ଵାରି ଓ ବୀଣା ଶ୍ରୀବାସ୍ତବ, ଲକ୍ଷ୍ନୌରୁ ସୟଦ ମୁସାନା, ନୂଆଦିଲ୍ଲୀରୁ ନିଧୀଶ ତ୍ୟାଗୀ, ନିଖିଳେଶ ମିଶ୍ର, ମୌସୁମୀ ଦାସ; ମୁମ୍ବାଇରୁ ସତ୍ୟବ୍ରତ ମହାପାତ୍ର ପ୍ରମୁଖ।
ସେହିପରି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭୀମ ପୃଷ୍ଟି, ଚିରଶ୍ରୀ ଇନ୍ଦ୍ରସିଂ, ସଞ୍ଜୟ ପଣ୍ଡା, ଦେବଯାନୀ ଦାସ, ପ୍ରଭାତ ନଳିନୀ ମହାପାତ୍ର, ଅମିୟ ବେଜ, ତପନ ମହାପାତ୍ର, ହିରଣ୍ମୟୀ ମିଶ୍ର, ଡିଲେଶ୍ବର ରଣା, ସୁଧୀର କୁମାର ଧାଙ୍ଗଡାମାଝୀ, ମୋନାଲିସା ମିଶ୍ର, କମଳେଶ ମିଶ୍ର, ଶକ୍ତି ମହାନ୍ତି, ପବିତ୍ର ମୋହନ କର, ଆଦ୍ୟାଶା ଦାସ ଏବଂ ସୁରେଖା ମହାପାତ୍ର ପ୍ରମୁଖ ନିଜ ନିଜ କବିତା ପାଠ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଗତକାଲି ଫେସବୁକ୍ ମାଧ୍ୟମରେ ପ୍ରାୟ ୧୭୦୦ ଜଣ କ୍ଲିକ୍ କରିଥିବା ବେଳେ ୭୪୯ ଜଣ ୟୁନିକ୍ ପଞ୍ଜିକରଣ କରିଥିବା ପ୍ରକାଶ। ସେହିପରି ହାଇକ୍ ମାଧ୍ୟମରେ ୭୧୪ ଜଣ ଲଗ୍ ଇନ୍ କରିଥିବା ବେଳେ ଟିମ୍ ଜୁମ୍ ଦ୍ଵାରା ମଧ୍ୟ ଲିଙ୍କ୍ ଶେୟାର୍ କରାଯାଇ ଏହି କାର୍ଯ୍ୟକ୍ରମକୁ ଶ୍ରୋତାଭିମୁଖୀ କରାଯାଉଛି ବୋଲି ‘ଇଣ୍ଡୋକଳିଙ୍ଗ ଟାଇମ୍ସ’କୁ ଅଧ୍ୟକ୍ଷ ତପନ ପଣ୍ଡା କହିଛନ୍ତି। ସେ ମଧ୍ୟ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ସୁସଂହତ ଓ ବ୍ୟାପକ କରାଯିବା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି। ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ଠାରେ ଗାଳ୍ପିକା ଡକ୍ଟର ହିରଣ୍ମୟୀ ମିଶ୍ର ଓ କବି ଶତ୍ରୁଜିତ ଅନଲାଇନରେ ଥାଇ ସହଯୋଗ କରିଥିଲେ।