-
ସରକାର ଘୋଷଣାକଲେ ରେଡ୍ ଜୋନ୍
-
ଅଧିକ ସତର୍କ ରହିବାକୁ ଆହ୍ୱାନକଲେ ଜିଲ୍ଲାପାଳ
-
ଜିଲ୍ଲାକୁ ୨୮୩ଟି ବସ୍ ଓ ୧୫ଟି ଟ୍ରେନ୍ରେ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଛନ୍ତି
ବ୍ରହ୍ମପୁର: ପ୍ରବାସୀ ଓଡ଼ିଆଙ୍କ ଗସ୍ତ ପରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଦେଖିବାକୁ ମିଳିଛି ଚିନ୍ତା ଜନକସ୍ଥିତି । କେବଳ ଗଞ୍ଜାମ ଜିଲ୍ଲାରେ ସୁରଥ ଫେରନ୍ତାଙ୍କ ମଧ୍ୟରୁ ୨୮ଜଣ କରୋନା ପଜେଟିଭ ଭାବରେ ଚିହ୍ନଟ ହେବାପରେ ଏହା ଉଭୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି । ପୂର୍ବରୁ ୪ଜଣ ପଜେଟିଭ ରହିଥିବା ବେଳେ ଗୁରୁବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଥମେ ସକାଳୁ ୧୭ଜଣ ଓ ଦ୍ୱିତୀୟ ପର୍ଯ୍ୟାନ୍ତରେ ସନ୍ଧ୍ୟାରେ ୭ଜଣ ସୁରଥ ଫେରନ୍ତାଙ୍କ ସ୍ୱାବ୍ ପରୀକ୍ଷାରୁ ପଜେଟିଭ ଚିହ୍ନଟ ହେବା ନେଇ ଘୋଷଣା କରାଯାଇଛି । ଫଳରେ ଗଞ୍ଜାମକୁ ଓରେଞ୍ଜରୁ ରେଡ୍ ଜୋନ୍ ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ କୌଣସି ଭୟଭୀତ ହେବାର ଆବଶ୍ୟକତା ନଥିବା ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମ ଜରିଆରେ ସୂଚନା ଦେବାସହ ଅଧିକ ସତର୍କ ଏବଂ ସାବଧାନ ରହିବାକୁ ଆହ୍ୱାନ ଦେଇଛନ୍ତି । ସମସ୍ତେ ସାମାଜିକ ଦୂରତାକୁ ମାନିବା ସହ ମାସ୍କ ପିନ୍ଧିବା ଓ ହାତ ବାରମ୍ବାର ଧୋଇବାର ଅଭ୍ୟାସ ଜାରି ରଖିବାକୁ ସେ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏପରିକି ବୟସ୍କ ନାଗରିକ ଏବଂ ଶିଶୁ, ଗର୍ଭବତୀ ମହିଳା ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଯେହେତୁ ସମସ୍ତ ପଜେଟିଭ ସୁରଥ ଫେରନ୍ତା ଏବଂ ସେମାନଙ୍କୁ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ରଖାଯାଇଛି ତେଣୁ କୌଣସି ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନଥିବା ବେଳେ କେହି ମଧ୍ୟ ସଙ୍ଗରୋଧ କେନ୍ଦ୍ରକୁ ନଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏପରିକି କାହାର ପରିବାରବର୍ଗ ଯଦି ସଙ୍ଗରୋଧ କେନ୍ଦ୍ରକୁ ଯାଆନ୍ତି ତା’ହେଲେ ସେମାନଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅଦ୍ୟାବଧି ଜିଲ୍ଲାକୁ ୨୮୩ଟି ବସ୍ ଓ ୧୫ଟି ଟ୍ରେନ୍ରେ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଦେଶର ବିଭିନ୍ନ ରାଜ୍ୟର ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସମସ୍ତଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଥିବା ବେଳେ ଆଗାମୀଦିନରେ ଯିଏ ବାହାର ରାଜ୍ୟରୁ ଆସିବ ସେମାନଙ୍କୁ ସରକାରଙ୍କ ସଙ୍ଗରୋଧ ଗୃହ ବାଧ୍ୟତାମୂଳକ ବୋଲି କହିଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ପ୍ରବାସୀ ଓଡ଼ିଆ ରହୁଥିବା ସମସ୍ତ ସଙ୍ଗରୋଧ ଗୃହରେ ସରକାରଙ୍କ ନିୟମ ମୁତାବକ ସାମାଜିକ ଦୂରତା ଠାରୁ ଆରମ୍ଭକରି ସମସ୍ତ ପ୍ରକାର ନିୟମକୁ ପ୍ରବାସୀ ଓଡ଼ିଆମାନେ ପାଳନ କରୁଥିବା ବେଳେ ନିୟମିତ ଅଧିକରୁ ଅଧିକ ଅନ୍ୟ ରାଜ୍ୟର ବ୍ୟକ୍ତିବିଶେଷ ଆସୁଥିବାରୁ ସେମାନଙ୍କ ସ୍ୱାବ୍ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ଜିଲ୍ଲାପାଳ କହିଥିଲେ । ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ଗଣମାଧ୍ୟମ ପ୍ରଶ୍ନରେ ଜିଲ୍ଲାପାଳ କହିଥିଲେ ଯେ, ସରକାରଙ୍କ ରେଡ୍ ଜୋନ୍ରେ ରହିଥିବା ସମସ୍ତ ନିୟମକୁ ପାଳନ କରାଯିବା ସହ ଗ୍ରାମାଞ୍ଚଳରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ଜାରି ରହିବା ସହ କୃଷି କାର୍ଯ୍ୟ ମଧ୍ୟ ଜାରି ରହିବ ବୋଲି କହିବା ସହ ବର୍ତ୍ତମାନ ଖୋଲାଯାଉଥିବା ବଜାରରେ ସାମାଜିକ ଦୂରତା ସହିତ ଜନସାଧାରଣ ସଚେତନ ରହିଥିବାରୁ ସମୟ ପରିବର୍ତ୍ତନ ପାଇଁ କୌଣସି ଚିନ୍ତା କରାଯାଉନଥିବା ଜିଲ୍ଲାପାଳ କହିଥିଲେ । ତେବେ ଦୀର୍ଘଦିନଧରି ଜିଲ୍ଲାବାସୀ ପ୍ରଶାସନକୁ ସହଯୋଗ କରୁଥିବାରୁ ସେ ଜିଲ୍ଲାବାସୀ, ସମସ୍ତ ବିଭାଗୀୟ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସାଧୁବାଦ ଦେଇଥିଲେ ।