ବ୍ରହ୍ମପୁର: ଗତ ୧ସପ୍ତାହ ମଧ୍ୟରେ ହଜାର ହଜାର ପ୍ରବାସୀ ଓଡ଼ିଆ ଓଡ଼ିଶା ମୁହାଁ ହୋଇଛନ୍ତି । ବିଶେଷକରି ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ଓ ୧୭ଟି ଏନ୍ଏସି ଅଞ୍ଚଳରୁ ଲକ୍ଷାଧିକ ଲୋକେ ଗୁଜୁରାଟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହି ଆସୁଛନ୍ତି । ଗତ କିଛିଦିନ ମଧ୍ୟରେ ବସ୍ ଓ ଟ୍ରେନ୍ ଯୋଗେ ହଜାର ହଜାର ପ୍ରବାସୀ ଓଡ଼ିଆ ନିଜ ଜିଲ୍ଲାକୁ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ସଙ୍ଗରୋଧ ଗୃହକରି ସେମାନଙ୍କୁ ୧୪ଦିନିଆ ସଙ୍ଗରୋଧ ଗୃହରେ ରଖାଯାଇଛି । ଗଞ୍ଜାମ ଜିଲ୍ଲାରେ ୨ଟି ପୋଲିସ ଜିଲ୍ଲା ରହିଛି । ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୩୦ରୁ ଊର୍ଦ୍ଧ୍ୱ ଥାନା ରହିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଗଞ୍ଜାମ ପୋଲିସ ଜିଲ୍ଲାର ୨୧ଟି ଥାନା ଅଧିନରେ ୩୪୦ଟି ସଙ୍ଗରୋଧ ଗୃହରେ ୨୧୩୧୭ଜଣ ପ୍ରବାସୀ ଓଡ଼ିଆ ରହିଛନ୍ତି । ସେହିଭଳି ବ୍ରହ୍ମପୁର ପୋଲିସ ଜିଲ୍ଲାର ୭ଟି ଥାନା ଇଲାକାରେ ୩୯ଟି ସଙ୍ଗରୋଧ ଗୃହରେ ୨୧୪୬ଜଣ ପ୍ରବାସୀ ରହୁଛନ୍ତି । ଏହି ୨ଜିଲ୍ଲାର ଏସ୍ପିମାନେ ନିଜ ନିଜ ଥାନା ଇଲାକାରେ ହୋଇଥିବା ସଙ୍ଗରୋଧ ଗୃହର ଟିକ୍ନିକ୍ ତଦାରଖ ପାଇଁ ସମ୍ପୃକ୍ତ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହକୁ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରବାସୀମାନଙ୍କୁ ବିଶୃଙ୍ଖଳା ନକରିବାକୁ ପରାମର୍ଶ ଦେଇଥିବା ବେଳେ ଅନୁରୂପ ଭାବେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଗୋପାଳପୁର ଥାନା ଅଧିନସ୍ଥ କରାପଲ୍ଲୀ ଆଦର୍ଶ ବିଦ୍ୟାଳୟ ଓ ଗୋଳନ୍ଥରା ଥାନା ଅଧିନସ୍ଥ ରାଳବ ଓ ଗାନ୍ଧୀ କଲେଜରେ ହୋଇଥିବା ସଙ୍ଗରୋଧ ଗୃହକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ସଙ୍ଗରୋଧ ଗୃହରେ ପ୍ରବାସୀମାନେ ଶାନ୍ତିଶୃଙ୍ଖଳାରେ ରହୁଥିବା ବେଳେ ବିଭିନ୍ନ ସଙ୍ଗରୋଧ ଗୃହରେ ଦେଶାତ୍ମକବୋଧ ଗୀତ ସହ ଯୋଗାଭ୍ୟାସ ଆଦି କରୁଥିବା ନଜର ରହିଛି । ୨ଜିଲ୍ଲାରୁ ମିଳିଥିବା ତଥ୍ୟ ଅନୁସାରେ ବୁଧବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ ଆଧାରରେ ଏହି ଖବର ହସ୍ତଗତ ହୋଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଥାନାଧିକାରୀଙ୍କ ଠାରୁ ମିଳୁଥିବା ତଥ୍ୟକୁ ଏସ୍ପି ମନିଟରିଂ କରୁଥିବା ଜଣାପଡିଛି ।
Related Stories
November 25, 2024