ବ୍ରହ୍ମପୁର: ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗିରିସୋଲା ଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ହୋଇଥିବା ଆନ୍ତଃରାଜ୍ୟ ତନଖି ଫାଟକର କାର୍ଯ୍ୟ କିପରି ଚାଲିଛି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଏସ୍ପି ପିନାକ ମିଶ୍ର । ଗତ ୩ତାରିଖ ଠାରୁ ବାହାର ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଓଡ଼ିଆମାନେ ପଞ୍ଜିକରଣକରି ନିଜ ନିଜ ରାଜ୍ୟ ତଥା ଜିଲ୍ଳାକୁ ଫେରୁଥିବା ବେଳେ ଆନ୍ଧ୍ର ହୋଇ ଓଡ଼ିଶାକୁ ପ୍ରବେଶ କରୁଛନ୍ତି । ସେମାନଙ୍କୁ ଯାଞ୍ଚ କରିବା ପାଇଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗିରିସୋଲା ଠାରେ ଏକ ଅସ୍ଥାୟୀ ତନଖି ଫାଟକ ପ୍ରତିଷ୍ଠା କରାଯାଇଛି ।
ଜିଲ୍ଲା ପରିବହନ ବିଭାଗ ଓ ବ୍ରହ୍ମପୁର ପୋଲିସର ମିଳିତ ପ୍ରଚେଷ୍ଟାରେ ଏଠାରେ ଯେଉଁମାନେ ଓଡ଼ିଶା ଭିତରକୁ ପ୍ରବେଶ କରୁଛନ୍ତି ସେମାନଙ୍କୁ ଯାଞ୍ଚ ସହ ସ୍ୱାସ୍ଥ୍ୟ ପରୀକ୍ଷା ଓ ଯାତାୟାତର ନଥିପତ୍ର ଯାଞ୍ଚ କରାଯାଉଛି । ସଠିକ୍ ଯାଞ୍ଚକରି କମ୍ ସମୟ ମଧ୍ୟରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଅନୁମତି ଦେବା ଉପରେ ଡିଆଇଜି ଗୁରୁତ୍ୱଦେଇ ଦାୟୀତ୍ୱରେ ଥିବା ଅଧିକାରୀମାନଙ୍କୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଏଠାରେ କାର୍ଯ୍ୟ କରୁଥିବା ପୋଲିସ, ପରିବହନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଯେପରି ସମଦୂରତା ରକ୍ଷାକରି ନିଜକୁ ସୁରକ୍ଷିତରେ ଯାଞ୍ଚ କାର୍ଯ୍ୟ କରିବେ ସେଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ କହିଥିଲେ । ଏହାସହ ଯାତାୟାତ କରୁଥିବା ପ୍ରବାସୀଙ୍କ ସହ ଡିଆଇଜି ଓ ଏସ୍ପି ଆଲୋଚନା କରୁଥିବା ଲକ୍ଷ୍ୟ କରାଯାଇଥିଲା । ଡିଆଇଜି ଓ ଏସ୍ପିଙ୍କ ଗସ୍ତ ସମୟରେ ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କ ସମେତ ପରିବହନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଅଧିକାରୀମାନେ ଉପସ୍ଥିତ ଥିଲେ ।