ବ୍ରହ୍ମପୁର : ଲକ୍ ଡାଉନ୍ ସମୟରେ ମଦ ବ୍ୟବସାୟ ଉପରେ କଟକଣା ଲାଗିଥିଲେ ମଧ୍ୟ କିଛି ଅସାଧୁ ବ୍ୟବସାୟୀ ରାତାରାତି ନକଲି ମଦ ପ୍ରସ୍ତୁତକରି ତାଙ୍କ ବ୍ୟବସାୟ ଚଳାଇ ଆସୁଛନ୍ତି । ବ୍ରହ୍ମପୁର ଜିଲ୍ଲା ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଇନ୍ଧ୍ରାକ୍ଷୀ ଗ୍ରାମ ନିକଟସ୍ଥ କିଆଫୁଲ ବୁଦା ନିକଟରେ ଦୀର୍ଘଦିନ ଧରି ଚାଲିଥିବା ଏକ ନକଲି ଦେଶୀ ମଦ ପ୍ରସ୍ତୁତ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଛି ।
କନିଷି ତହସିଲଦାର ଦେବେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ବ୍ରହ୍ମପୁର ସଦର ଅବକାରୀ ବିଭାଗ ପକ୍ଷରୁ ୧୨୦୦ଲିଟର ମହୁଲ ଓ ଗୁଡପୋଚ ସହ ୫୦ଲିଟର ଦେଶୀ ମଦ ଜବତ କରିଥିଲେ । ପୋଚ ଗୁଡିକୁ ନଷ୍ଟ କରାଯାଇଥିବା ବେଳେ ମଦ ଜବତ କରାଯାଇଥିବା ଅବକାରୀ ସବ୍ଇନ୍ସିପେକ୍ଟର ଶ୍ରୀଧର ମହାନ୍ତି ସୂଚନା ଦେଇଛନ୍ତି । ସଦର ଅବକାରୀ ବିଭାଗ ଇନ୍ସିପେକ୍ଟର ରୋଶନ ହଁସଦା, ଇନ୍ସିପେକ୍ଟର ସୁଶାନ୍ତ ପାଢ଼ୀଙ୍କ ସମେତ ଅବକାରୀ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ ।