
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି ଔଙ୍କ ଠାରୁ) ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ଓଡ଼ିଶାର ମୁଖମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଛାତ୍ର ସମାଜକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ବାଲେଶ୍ଵର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ଛାତ୍ର ସଭାପତି ସୀମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଗତ ୪୦ ଦିନ ଧରି ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀର ସଭାପତି ମାନଙ୍କ ଦ୍ୱାରା ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଓ ମାସ୍କ ଆଦି ବଣ୍ଟନ କରାଯାଇ ଆସୁଛି।
ଆଜି ପୁଣି ସ୍ଥାନୀୟ ବାମପଦା ସ୍ଥିତ କୁଷ୍ଠାଶ୍ରମ ଠାରେ ୧୦୦ ଜଣଙ୍କୁ ଏବଂ ଷ୍ଟେସନ ଛକ ଠାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କାମ କରିବାକୁ ଆସି ଏଠାରେ ରହି ଯାଇଥିବା କିଛି ଦିନ ମଜୁରିଆ, ଅସହାୟ ବୃଦ୍ଧାଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଚାଉଳ, ଡାଲି, ଆଳୁ, ପିଆଜ, ମସଲା ଓ ମାସ୍କ ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମହାସଚିବ କୁଶଲ ଚାଟାର୍ଜୀ ଓ ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିରଣ ନାଥ, ବିଜୟ ଜେନା, ଚନ୍ଦନ ମଲ୍ଲିକ, ମନୋରଞ୍ଜନ ମହାରଣା, ଶିବ ଶଙ୍କର ଦାସ, ସୁଭମ ନାୟକ, ନରୋତ୍ତମ ଦାସ, ଜୀବନ ସଂଗ୍ରାମ ମିଶ୍ର, ସମ୍ବିତ ନନ୍ଦୀ ପ୍ରମୁଖ ସହଯୋଗ କରିଥିଲେ।
“ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସବୁ ଅସହାୟ ଓ ଦୁସ୍ଥ ଲୋକଙ୍କୁ ସାହାଯ୍ୟ କରାଯିବ” ବୋଲି ସଭାପତି ଶ୍ରୀ ଦାସମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।