-
ଦ୍ୱିତୀୟ ଦିନରେ ୪ଟି ଟ୍ରେନ୍ରେ ୪ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଗଞ୍ଜାମକୁ ଫେରିଲେ
ବ୍ରହ୍ମପୁର: ପ୍ରବାସୀମାନେ ଏବେ ରାଜ୍ୟକୁ ଫେରୁଛନ୍ତି । ବସ୍ରେ ସୁରତରୁ ହଜାର ହଜାର ପ୍ରବାସୀ ଗଞ୍ଜାମକୁ ଫେରୁଥିବାବେଳେ ରବିବାର ଦୁଇଟି ସ୍ୱତନ୍ତ୍ର ଟ୍ରେନ ଯୋଗେ କେରଳ ଓ ସୁରତରୁ ୧୭୧୩ ପ୍ରବାସୀ ଓଡ଼ିଆ ଫେରିଥିବା ବେଳେ ସୋମବାର ପୁଣି ଗଞ୍ଜାମ ଜିଲ୍ଳାର ଜଗନ୍ନାଥପୁର ରେଳ ଷ୍ଟେଶନ୍କୁ ୪ଟି ଟ୍ରେନ୍ ଆସିଛି । ପ୍ରଥମଟି କେରଳର ଏର୍ଣ୍ଣାକୁଲମ ଜଙ୍କସନ-ଖୋର୍ଦ୍ଧା ରୋଡ଼ ସ୍ୱତନ୍ତ୍ର ଟ୍ରେନ ୫.୩୦ ମିନିଟରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳଷ୍ଟେସନରେ ପହଂଚିଛି । ଏଥିରେ ଗଞ୍ଜାମ ଜିଲ୍ଲାର ୬୦୬ ଜଣ ସମେତ ୧୦୪୨ପ୍ରବାସୀ ଓଡ଼ିଆ ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ସେମାନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱାଗତ ଜଣାଯାଇ ସେମାନଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇ ଅନ୍ୟ ଜିଲ୍ଲାର ପ୍ରବାସୀ ଓଡିଆ ମାନଙ୍କୁ ବସ ଯୋଗେ ନିଜ ନିଜ ଜିଲ୍ଲାକୁ ପଠାଯାଇଥିଲା ।
ସେହିପରି ଗଂଜାମ ଜିଲ୍ଲାର ୬୦୬ଜଣ ପ୍ରବାସୀ ଓଡିଆକୁ ନିଜ ନିଜ ବ୍ଲକ କୁ ପଠାଇଯାଇ ସେଠାରେ ଥିବା କ୍ୱାରାନଟାଇନ ସେଂଟରରେ ସେମାନଙ୍କୁ ରଖାଯାଇଛି । ଷ୍ଟେସନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ବିଏମସି କମିଶନର ଚକ୍ରବର୍ତି ସିଂ ରାଠୋର, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇର୍, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ତତ୍ତ୍ରାତେୟ ଭାଉସାହେବ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାସ, ଡିଏସପି ଅଜୟ କୁମାର ମିଶ୍ର, ଛତ୍ରପୁର ଏସଡିପିଓ ଗୌତମ କିସାନ, ଚମାଖଣ୍ଡି ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଛତ୍ରପୁର, ବ୍ରହ୍ମପୁର ଆରପିଏଫ ଓ ୩୦ ଜଣ କର୍ମଚାରୀ ଏବଂ ଶହେରୁ ଉର୍ଦ୍ଧ୍ୱ ପୁଲିସ କର୍ମଚାରୀମାନେ ପ୍ରବାସୀ ଓଡ଼ିଆମାନଙ୍କୁ ବିଭିନ୍ନ ଯାଗାରେ ପହଂଚାଇବା ନିମନ୍ତେ ସହାୟତା ପ୍ରଦାନ କରିଥିଲେ ।
ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ସ୍ୱାସ୍ଥ୍ୟ ବିଭାଗର ୧୨ଟି ଆରଆର ଟିମ୍ ଏବଂ ଜିଲ୍ଲାର ୧୦ରୁ ଉର୍ଦ୍ଧ୍ୱ ଡାକ୍ତର ଉପସ୍ଥିତ ରହି ପ୍ରବାସୀ ଓଡ଼ିଆମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରିଥିଲେ । ଓଡ଼ିଆମାନଙ୍କୁ ଟ୍ରେନରୁ ଓହ୍ଲାଇବା ପରେ ବସକୁ ଯିବା ବେଳେ ଏମାନଙ୍କୁ ବିଭିନ୍ନ ଖାଦ୍ୟ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ପ୍ରକାଶଯୋଗ୍ୟ ଯେ ଏହି ଟ୍ରେନ ଯୋଗେ ଅନ୍ୟ ଜିଲ୍ଲାର ମଧ୍ୟ କିଛି ପ୍ରବାସୀ ଓଡ଼ିଆ ଆସିଥିଲେ । ଏମାନଙ୍କ ଜିଲ୍ଲାକୁ ମଧ୍ୟ ସ୍ୱତନ୍ତ୍ର ବସ ଯୋଗେ ସୁରକ୍ଷିତ ଭାବେ ପଠାଯାଇଛି ।
ପୁଣି ସୋମବାର ସୁରତରୁ ୩ଟି ଟ୍ରେନ୍ରେ ଭିନ୍ନ ଭିନ୍ନ ସମୟରେ ରାତ୍ର ସୁଦ୍ଧା ପ୍ରାୟ ୩୬୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ପହଂଚିଥିଲା ଆଉ ଏକ ସ୍ୱତନ୍ତ୍ର ଟ୍ରେନ । ସେଥିରେ ପ୍ରାୟ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ର ବୋଲି ଜଣାପଡିଛି । ପ୍ରବାସୀ ମାନଙ୍କୁ ଅନୁରୂପ ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିବା ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଛି । ପ୍ରଥମେ ସ୍ୱାସ୍ଥ୍ୟ ଟିମ୍ ସେଠାରେ ଜଣ ଜଣ କରି ପ୍ରବାସୀ ଓଡିଆଙ୍କ ସ୍ୱାସ୍ଥ୍ୟ ଯାଂଚ ମଧ୍ୟ କରିଥିଲେ ।