-
ଦେଢ଼ମାସପରେ ସ୍ୱଭାବିକ ହେଲା ଗଞ୍ଜାମ ଜିଲ୍ଲା
ବ୍ରହ୍ମପୁର: ଦୀର୍ଘ ଦେଢ଼ମାସଧରି ଲକ୍ ଡାଉନ୍ ଓ ସଡ୍ ଡାଉନ୍ରେ ରହିଥିବା ଗଞ୍ଜାମବାସୀଙ୍କୁ ସୋମବାର ଠାରୁ ସାମାନ୍ୟ ଆଶ୍ୱସ୍ତ ମିଳିଛି । ଗତ ରବିବାର ଦିନ ଜିଲ୍ଲାରେ ପ୍ରଥମ ୨ଟି କରୋନା ପଜେଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ଜିଲ୍ଲା ଏବେ ଅରେଞ୍ଜ ଜୋନ୍ରେ ରହିଛି । ସୋମବାର ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମଦ ଦୋକାନ, ହୋଟେଲ, ଗ୍ରୋସରୀ ଦୋକାନ, ସେଲୁନ, ସ୍ପା, ନର୍ସିଂହୋମ୍ ଖୋଲା ରହିଥିବା ବେଳେ ଅଟୋ, ଟେକ୍ସି, ୪ଚକିଆ ଯାନ ଜିଲ୍ଲା ଭିତରେ ଚଳାଚଳ ଆରମ୍ଭ ହୋଇଛି । ସେପଟେ ଧାର୍ମିକ ଅନୁଷ୍ଠାନ, ହୋଟେଲ, ଶିକ୍ଷାନୁଷ୍ଠାନ, ଟ୍ରେନ୍ ଚଳାଚଳ, ସିନେମା ହଲ୍, ମଲ୍ ଓ ମଦ ଦୋକାନ ବନ୍ଦ ରହିଛି । ଶିଳ୍ପାନୁଷ୍ଠାନ, ସହରାଞ୍ଚଳ, କୋଠାବାଡି କାମ, ଅଣଅତ୍ୟାବଶ୍ୟକୀୟ ଦୋକାନ, କୋରିୟର, ପୋଷ୍ଟାଲ, କୃଷି, ବ୍ୟାଙ୍କ, ଫାଇନାନ୍ସ ଅଫିସ୍ ସବୁ ଖୋଲା ହୋଇଛି । ମାଲପରିବହନ ମଧ୍ୟ ସ୍ୱଭାବିକ ହୋଇଛି । ଯଦି କୌଣସି ଦୋକାନରେ ସାମାଜିକ ଦୂରତା ରହିବ ନାହିଁ ଏବଂ ମାସ୍କ ପିନ୍ଧିବେ ନାହିଁ ତା’ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସେହି ମର୍ମରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସହରର ଦୋକାନୀ ଓ ବ୍ୟବସାୟୀମାନଙ୍କୁ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିଛନ୍ତି । ଏଥିରେ କିଛି ଅନିୟମିତତା ଦେଖାଦେଇଥିବାରୁ ତାଗିଦ୍ ମଧ୍ୟ କରାଯାଇଛି । ତେଣୁ ଅତ୍ୟାବଶ୍ୟକୀୟ ନଥିଲେ ଘରୁ ନବାହାରିବା ପାଇଁ ସେ ପରାମର୍ଶ ଦେଇ ପ୍ରଶାସନର ନିର୍ଦ୍ଦେଶକୁ ମାନିବା ପାଇଁ ସହରବାସୀଙ୍କୁ ଅପିଲ୍ କରିଛନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଏନ୍ଏସିରେ ମଧ୍ୟ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ଖୋଲିଥିବା ଦେଖିବାକୁ ମିଳିଥିଲା ।