ବ୍ରହ୍ମପୁର: ଦୀର୍ଘ ୧ମାସ ଧରି ଗଞ୍ଜାମ-ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜିଲ୍ଲା ପ୍ରଶାସନର ବ୍ଲକିଂ ବେଳେ ଧରାପଡିଥିବା ଝାଡଖଣ୍ଡ ରାଜ୍ୟର କୋଡରମା ଜିଲ୍ଲାର ୧୨୫ଜଣ ଶ୍ରମିକ ସୋମବାର ଦିନ ନିଜ ଅଞ୍ଚଳକୁ ଫେରିଛନ୍ତି । ଏମାନଙ୍କୁ ସଙ୍ଗରୋଧ ଗୃହରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଖାଇବା, ରହିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨ଦିନତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ଝାଡଖଣ୍ଡ ରାଜ୍ୟର ଶ୍ରମିକମାନଙ୍କୁ ନିଜ ରାଜ୍ୟରେ ଛାଡିବା ପାଇଁ ଅନୁମତି ମଗାଯାଇଥିଲା । ସୋମବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀ ଏମାନଙ୍କୁ ନିଜ ଅଞ୍ଚଳକୁ ଯିବା ପାଇଁ ସ୍ୱତନ୍ତ୍ର ୩ଟି ବସ୍ର ବ୍ୟବସ୍ଥା କରିବାକରି ଜିଲ୍ଲା ପ୍ରଶାସନ ନିକଟକୁ ପଠାଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଜିଲ୍ଲା ପରିବହନ ଅଧିକାରୀ ସଞ୍ଜୟ ବିଶ୍ୱାଳ, ବିଡିଓ କୁମାର ନାଗଭୂଷଣ, ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ପ୍ରମୁଖ ଉପସ୍ଥିତରହି ସେମାନଙ୍କୁ ପଞ୍ଜିକରଣକରି ସୋମବାର ରାତ୍ରରେ ୩ଟି ବସ୍ରେ ୧୨୫ଜଣଙ୍କୁ ବସାଇ ଝାଡଖଣ୍ଡ ପଠାଇଥିଲେ । ଏମାନଙ୍କୁ ଝାଡଖଣ୍ଡ ରାଜ୍ୟର ରାଞ୍ôଚ ସହରରେ ଓହ୍ଲାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୧ମାସଧରି ଗୋଳନ୍ଥରା ଥାନା ଅଧିନସ୍ଥ ରୋନାଲ୍ଡ କଲେଜ ପରିସରରେ ହୋଇଥିବା ସଙ୍ଗରୋଧ ଗୃହରେ ଏମାନଙ୍କୁ ରଖାଯାଇଥିଲା । ନିଜ ଭିଟାମାଟିକୁ ଫେରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିବାରୁ ସେମାନେ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ।
Related Stories
November 25, 2024