
-
ପ୍ରଥମଥର ପାଇଁ ଲକ୍-ଡାଉନ୍ ସମୟରେ ତପସ୍ୟା ଫାଉଣ୍ଡେସନର ଅଭିନବ ଯୋଜନା
ବାଲେଶ୍ଵର ( କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ)- ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ନୂଆ ନୂଆ ପ୍ରବେଶ କରିଥିବା ‘ତପସ୍ୟା ଫାଉଣ୍ଡେସନ୍’ ପକ୍ଷରୁ ଆଜି ଏକ ସର୍ବଭାରତୀୟ ଦ୍ବିଭାଷୀ ଅନ୍ ଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ମୋବାଇଲ୍ ଆପ୍ଲିକେସନ ଜୁମ୍ ପ୍ଲାଟଫର୍ମରେ ଏହି କବିତା ପାଠକୁ ଫାଉଣ୍ଡେସନ୍ ଅଧ୍ୟକ୍ଷ ଡକ୍ଟର ତପନ କୁମାର ପଣ୍ଡା ମୁମ୍ବାଇରୁ ଥାଇ ପରିଚାଳନା ଓ ସଂଯୋଜନା କରିଥିଲେ। ଏହା ପୂର୍ବାହ୍ନ ୧୦.୩୦ରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ରେ ଶେଷ ହୋଇଥିଲା।
‘ପୋଏଟ୍ରି@କୋଭିଡ୍ ୧୯’ ଶୀର୍ଷକ ଏହି ଅଭିନବ କବିତା ପାଠ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ନ୍ୟୁଜ୍ ୧୮ର ଡିଜିଟାଲ୍ ସମ୍ପାଦକ ତଥା କବି ନିଧୀଶ ତ୍ୟାଗୀ, ଗୋପା ନାୟକ, ନନ୍ଦିନୀ ସାହୁ, ନିଖିଳେଶ ମିଶ୍ର, ମୌସୁମୀ ଦାସ; ମୁମ୍ବାଇରୁ ସତ୍ୟବ୍ରତ ମହାପାତ୍ର, କଳାହାଣ୍ଡିରୁ ଡିଲେଶ୍ବର ରଣା, ଜୟଦ୍ରଥ ସୁନା ଓ ଯାଦବେନ୍ଦ୍ର ସାହା, ପୁରୀରୁ ରଜତ ମହାନ୍ତି ଓ ରାଉରକେଲାରୁ ମୋନାଲିସା ମିଶ୍ର ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ।
ଅନ୍ୟ ପକ୍ଷରେ ଭୁବନେଶ୍ଵରର ନିଜ ନିଜ ଘରେଥାଇ କବି ମନୁଆ ଦାଶ, କେଦାର ମିଶ୍ର, ଆଦ୍ୟାଶା ଦାସ, ପବିତ୍ର ମୋହନ କର, ଶକ୍ତି ମହାନ୍ତି, ସରୋଜ ବଳ, ଶତ୍ରୁଜିତ୍, ସୁରେଖା ମହାପାତ୍ର ପ୍ରମୁଖ ସେମାନଙ୍କ କବିତା ପାଠ କରିଥିଲେ।
ଲକ୍ ଡାଉନ୍ ସମୟ ମଧ୍ୟରେ ଏବଂ ପରେ ମଧ୍ୟ ଏହିଭଳି ଅନ୍ ଲାଇନ୍ ସାହିତ୍ୟ କାର୍ଯ୍ୟକ୍ରମ ଜାରି ରଖିବାକୁ ଶିଳ୍ପପତି ଓ ଶିକ୍ଷାବିତ କମଳେଶ ମିଶ୍ର ପ୍ରସ୍ତାବ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ଭାଗ ନେଇଥିବା କବିମାନେ ଏହାକୁ ସମର୍ଥନ କରିଥିଲେ। ଲକ୍ ଡାଉନ୍ ସମୟରେ ତପସ୍ୟା ଫାଉଣ୍ଡେସନ୍ ତରଫରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସମସ୍ତେ ଫାଉଣ୍ଡେସନ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟ ଯେ, ପଠିତ କବିତା ସବୁକୁ ନେଇ ‘କୋବିଦର କବିତା’ ନାମରେ ଏକ ସଂକଳନ କରାଯିବା ସହ ଏହାପରେ ମଇ ୭ରେ ‘ଅର୍ଦ୍ଧରାତ୍ରୀ ଅଳ୍ପଗଳ୍ପ’ ଶୀର୍ଷକ ରେ ହେବ ଏକ ଘଣ୍ଟିଆ ମଧ୍ୟରାତ୍ର ୧୫ ଧାଡି ବିଶିଷ୍ଟ ଅଣୁଗଳ୍ପ ଆସର।
“ସବୁବେଳେ ସାହିତ୍ୟକୁ ନେଇ ନୂଆ କିଛି କରିବା ଉଦ୍ଦେଶ୍ୟରେ ଗଠିତ ହୋଇଛି ତପସ୍ୟା ଫାଉଣ୍ଡେସନ ଏବଂ ଆଜିର ଏହି ଦେଢଘଣ୍ଟା ମୋ ପାଇଁ ମହାର୍ଘ ଉପଲବ୍ଧି ଥିଲା କହିଲେ ଭୁଲ ହେବନି। କହିରଖେ, ଲକ୍ ଡାଉନ୍ ଶେଷରେ ଅଂଶଗ୍ରହଣକାରୀ କବିଙ୍କ ନିକଟକୁ ସ୍ଵତନ୍ତ୍ର ଉପହାର ପଠାଯିବ” ବୋଲି ଅଧ୍ୟକ୍ଷ ଡକ୍ଟର ପଣ୍ଡା ଗଣମାଧ୍ୟମକୁ କହିଛନ୍ତି।