REPORT-SHIVRAM CHAUDHERY
ବ୍ରହ୍ମପୁର: ଅଦୃଶ୍ୟ ମହାମାରୀ କରୋନାକୁ ପ୍ରତିହତ କରିବା ଏବଂ ଅଧିକ ସଂକ୍ରମଣ ରୋକିବା ପାଇଁ ବୈଷୟିକ ଜ୍ଞାନର ଉପଯୋଗ ଅପରିହାର୍ଯ୍ୟ । ଏହା ବିଭିନ୍ନ ବିଦ୍ୟାର ଉପଯୋଗ ବିଦେଶରେ ହୋଇସାରିଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଉପଲବ୍ଧ ହେଲାଣି । ଗତ ସପ୍ତାହରେ କଟକ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ସେବା ପ୍ରଦାନକାରୀ ରୋବଟ୍ ପ୍ରସ୍ତୁତ କରି ବେଶ ଚର୍ଚ୍ଚାକୁ ଆସିଥିଲେ । ଉକ୍ତ ରୋବଟ୍ ବିକଶିତ ଜ୍ଞାନ କୌଶଳର ଉଦାହରଣ ବୋଲି କୁହାଯାଇପାରେ । ସେହିପରି ଭାବେ ଟେସ୍ଡ୍ ସଲ୍ୟୁସନ୍ ପ୍ରା.ଲି ନାମକ ଷ୍ଟାର୍ଟ-ଅପ୍ ଓଡ଼ିଶା ବଜାର ଉପଯୋଗୀ ନୂଆ ଆପ୍ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛି । ଏହି ଆପ୍ ଇନିଷ୍ଟିଚ୍ୟୁଟ୍ନାଲ୍ ଏବଂ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ସନ୍ଦିଗ୍ଧ ଓ ସଂକ୍ରମିତଙ୍କ ଗତିବିଧି ଠାବ କରିବାରେ ବ୍ୟବହାର କରାଯାଇପାରିବ । ଏହି ଆପ୍ର ବ୍ୟବହାର କରି ସଫଳତା ହାସଲ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ଇଚ୍ଛା ପ୍ରକାଶ କରିଛି ।
ଟେସ୍ଡ୍ ସଲ୍ୟୁସନ୍ ଦ୍ୱାରା ପ୍ରସ୍ତୁତ ଏହି ଆପ୍ର ନାମ ରହିଛି ‘ସ୍ୱସ୍ଥ ଆପ୍’ । ଏହା ୩ଟି ବିଶେସତ୍ତ୍ୱ ଉପରେ ପର୍ଯ୍ୟବେସିତ ରହିଛି । ହଜାର ହଜାର ସଂଖ୍ୟାରେ ଆସୁଥିବା ପ୍ରବାସୀଙ୍କ ଗତିବିଧିକୁ ସରକାରୀ କାର୍ଯ୍ୟାଳୟରେ ରହି ଅନୁଧ୍ୟାନ କରାଯାଇପାରିବ । ସେଥିପାଇଁ ସଙ୍ଗରୋଧ ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ଏବଂ ପ୍ରଶାସନ ଏହାକୁ ସମାନ୍ତରାଳ ଭାବେ ବ୍ୟବହାର କରିବେ । ଜିଲ୍ଲା ପ୍ରଶାସନ ହାତରେ ଏହାର ନିୟନ୍ତ୍ରଣ କ୍ଷମତା ରହୁଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଏହି ଆପ୍ର ଅନୁଧ୍ୟାନକାରୀ ଏବଂ ତଥ୍ୟ ସଂଗ୍ରହକାରୀ ଭୂମିକାରେ ରହିବେ । ସେହିପରି ସଙ୍ଗରୋଧରେ ରହିବାକୁଥିବା ବ୍ୟକ୍ତି ଏହି ଆପ୍କୁ ମୋବାଇଲ୍ରେ ଇନ୍ଷ୍ଟଲ୍ କରି ନିଜ ଜାଣତରେ ପ୍ରଶାସନକୁ ନିଜର ସମୟୋପଚିତ ଗତିବିଧିର ତଥ୍ୟ ଏବଂ ସୂଚନା ପ୍ରଦାନ କରିବେ ।
ଏହି ଆପ୍ର ବିଶେସତ୍ତ୍ୱ ହେଲା ପ୍ରଶାସନ ନିଜ କାର୍ଯ୍ୟାଳୟରୁ ଘରେ ସଙ୍ଗରୋଧରେ ଥିବା ଲୋକଙ୍କୁ ତଦାରଖ କରିପାରିବ । ସେମାନଙ୍କର ବାସ୍ତବିକ୍ ଅବସ୍ଥାନ ଏବଂ ଏକ ନିର୍ଦ୍ଦିଷ୍ଟ ପରିସୀମା(ଘର) ମଧ୍ୟରେ ସେମାନଙ୍କର ଗତିବିଧିକୁ ଡିଜିଟାଲି୍ ସୀମିତ କରାଯାଇପାରିବ । ସଙ୍ଗରୋଧ ପ୍ରକିୟାକୁ ନିଶ୍ଚିତ କରିବା ଏବଂ ମାନି ଚଳିବା ପାଇଁ ପ୍ରଶାସନ ପକ୍ଷରୁ ଏହି ଆପ୍ ଜରିଆରେ ବିଭିନ୍ନ ଟାସ୍କ ଦିଆଯିବ । ଯେତେବେଳେ ପ୍ରଶାସନ ପକ୍ଷରୁ ସଙ୍ଗରୋଧରେ ଥିବା ସ୍ମାର୍ଟଫୋନ୍କୁ ଯୋଗାଯୋଗ କରାଯିବ, ସେତେବେଳ ଉକ୍ତ ବ୍ୟକ୍ତି ଜଣକ ନିଜ ମୋବାଇଲରୁ ସେଲ୍ଫି ଉଠାଇ ପ୍ରଶାସନ ନିକଟକୁ ପଠାଇବାକୁ ବାଧ୍ୟ । ନଚେତ୍ ସେ ସଙ୍ଗରୋଧ ଆଇନ୍ ଭଙ୍ଗ କରିଥିବା ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆପ୍ଲିକେସନ୍ ଡିଲିଟ୍ କରାଯାଏ କିମ୍ବା ଲୋକେସନ୍ ସେୟାରିଂ ବନ୍ଦ ହୋଇଯାଏ ତେବେ ତାଙ୍କ ମୋବାଇଲ ଫୋନକୁ ସ୍ୱ୍ୱୟଂଚାଳିତ କଲ କରାଯିବ । ଏଭଳି ଅନେକ ବୈଶିଷ୍ଟ୍ୟକୁ ନେଇ ଟେସ୍ଡ୍ ପ୍ରା.ଲିଃ. ଦ୍ୱାରା ଏହି ଆପ୍ ପ୍ରସ୍ତୁତ କରାଯାଇଥିବା ସଂସ୍ଥାର ସିଇଓ ସ୍ୱାଧିନ ନାୟକ କହିଛନ୍ତି । ଅନ୍ୟପକ୍ଷରେ ସହରାଞ୍ଚଳରେ ଏହାର ଉପଯୋଗ ସଫଳ ହେବ ଏବଂ ପ୍ରଶାସନକୁ ଏହାର ଫାଇଦା ମିଳିପାରିବ ବୋଲି ବିଏମ୍ସି କମିସନର ଚକ୍ରବର୍ତ୍ତୀ ସିଂ ରାଠୋଡ୍ ପ୍ରକାଶ କରିଛନ୍ତି । ତେବେ ଖୁବ୍ଶୀଘ୍ର ଏହାର ବ୍ୟବହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତିି ।
Related Stories
November 25, 2024