-
ପାଦ ଥାପୁ ଥାପୁ କଲେଣି ଝାମଲା
REPORT. SHIVRAM CHAUDHERY
ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପରେ ପ୍ରବାସୀ ଓଡ଼ିଆଙ୍କ ଆଗମନକୁ ନେଇ ରାଜ୍ୟ ସରକାର ବହୁବିଧି ପଦକ୍ଷେପ ନେଇଛନ୍ତି । ବିଭିନ୍ନ ରାଜ୍ୟରେ ଫଶି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଆସିବାର ବନ୍ଦୋବସ୍ତ ମଧ୍ୟ କରୁଛନ୍ତି । ଆସିବାପରେ ସେମାନଙ୍କ ପାଇଁ ରହିବା, ଖାଇବା ଓ ଅନ୍ୟାନ୍ୟ ବନ୍ଦୋବସ୍ତ କରି ୧୪ଦିନିଆ ସଙ୍ଗରୋଧ ଗୃହ ମଧ୍ୟ ଚିହ୍ନଟ କରିଛନ୍ତି । ଏପରିସ୍ଥଳେ ଗତ ୩ଦିନ ମଧ୍ୟରେ ହଜାର ହଜାର ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି । ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ବସ୍ରେ ୫ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ରବିବାର ଦିନ କେରଳ ଓ ଗୁଜୁରାଟରୁ ପ୍ରାୟ ୧୭୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କୁ ୧୪ଦିନିଆ ସଙ୍ଗରୋଧ ଗୃହକୁ ନିଆଯିବା ସହ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।
ବାହାର ରାଜ୍ୟରୁ ଫେରିଥିବା ହେତୁ ଯେପରି ତାଙ୍କ ପରିବାରବର୍ଗ କରୋନା ଭୁତାଣୁ ସଂକ୍ରମଣ ହେବେନି ସେଥିପ୍ରତି ଯତ୍ନବାନ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ବହୁବିଧି ପଦକ୍ଷେପ ନେଇଛି । କିନ୍ତୁ କିଛି ଅମାନିଆ ପ୍ରବାସୀ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନାକରି ବିଭିନ୍ନ ସଙ୍ଗରୋଧ ଗୃହରେ ଝାମେଲା ଆରମ୍ଭ କରିଛନ୍ତି । କେଉଁଠି ତ ଖାଇବାରେ ବିଳମ୍ବ ହେଉ ଆଉ କେଉଁଠି ମନ ମୁତାବକ ଖାଦ୍ୟ ମିଳୁନାହିଁ । ଏଭଳି ବାହାନା ଦେଖାଇ ପ୍ରବାସୀମାନେ ବିଭିନ୍ନ ସଙ୍ଗରୋଧ ଗୃହରେ ବିଶୃଙ୍ଖଳା ପ୍ରଦର୍ଶନ କରୁଥିବା ନେଇ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏପରିକି ଉତ୍ତମ ସେବା ନମିଳିବା ଅଭିଯୋଗକରି ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ରାଗପୁର ଆଦର୍ଶ ବିଦ୍ୟାଳୟରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ହୋହାଲ୍ଲାକରି ଗ୍ରାମକୁ ପଳାଇବା ପାଇଁ ଉଦ୍ୟମ କରିଥିଲେ । ଖବରପାଇ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ଶୁଣିନଥିଲେ । ଖବରପାଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସ୍ପି ବ୍ରିଜେଶ କୁମାର ରଏ ପହଞ୍ôଚ ପଳାୟନ କରୁଥିବା ପ୍ରବାସୀଙ୍କୁ ବୁଝାସୁଝାକରି କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ସହ ନିଜ ପରିବାରରେ ଯେପରି ଅନ୍ୟକାହାକୁ ସଂକ୍ରମଣ ନକରିବେ ସେଥିପ୍ରତି ଯତ୍ନବାନ ହୋଇ ପ୍ରଶାସନ କରିଥିବା ସଙ୍ଗରୋଧ ଗୃହରେ ୧୪ଦିନ ରହିବାକୁ ପରାମର୍ଶ ଦେଇଥିଲେ । ଏସ୍ପି ଓ ଜିଲ୍ଲାପାଳଙ୍କ ଅନୁରୋଧକ୍ରମେ ଶତାଧିକ ପ୍ରବାସୀ ସଙ୍ଗରୋଧ ଗୃହକୁ ଫେରିଥିବା ବେଳେ କିଛି ଅମାନିଆ ଫେରିନାହାଁନ୍ତି । ଏତିକି ବେଳେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କିଛି ମହିଳାଙ୍କୁ ଏସ୍ପି ଶ୍ରୀ ରଏ ହାତଯୋଡି ନେହୁରା ହୋଇ ନିଜ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ ସଙ୍ଗରୋଧ ଗୃହକୁ ଆସନ୍ତୁ ବୋଲି କହିବା ଦୃଶ୍ୟ । ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି କାକୁତି ମିନତିର ଦୃଶ୍ୟ ଉପସ୍ଥିତ ପ୍ରବାସୀ ଓଡ଼ିଆ ଓ ପ୍ରଶାସନିକ ଅଧିକାରୀଙ୍କ ମନକୁ ବଡ ଆଘାତ ଦେଇଥିଲା । ପୁରୁଷୋତ୍ତମପୁର, ଖଲ୍ଲିକୋଟ, ବେଗୁନିଆପଡା ଆଦି ବ୍ଲକ୍ ଅଞ୍ଚଳରେ ଥିବା ସଙ୍ଗରୋଧ ଗୃହରେ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ସଠିକ୍ ନଥିବା କହି ପ୍ରବାସୀମାନେ ଖାଇନଥିବା ଶୁଣିବାକୁ ମିଳୁଛି । ସେପଟେ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଓ ତାଙ୍କ ପରିବାରର ହିତ ସକାଶେ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ନେଇଥିବା ପଦକ୍ଷେପକୁ ଜିଲ୍ଲାବାସୀ ପ୍ରଶଂସା କରୁଥିବା ବେଳେ କିଛି ଅମାନିଆ ପ୍ରବାସୀ ଏହାକୁ ମାନୁ ନଥିବାରୁ ଏବେ ଏମାନଙ୍କୁ କିପରି ମନାଯିବ ସେନେଇ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଚିନ୍ତାର ବିଷୟ ହୋଇଛି ।