-
ସ୍ଥିତି ଅନୁଧ୍ୟାନକଲେ ବ୍ରହ୍ମପୁର ଏସ୍ପି
ବ୍ରହ୍ମପୁର: ଗଞ୍ଜାମ-ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗିରିସୋଲା ଠାରେ ଅନ୍ତଃରାଜ୍ୟ ତନଖି ଫାଟକ(ଇଣ୍ଟର ଷ୍ଟେଟ ଚେକ୍ ପୋଷ୍ଟ) କାର୍ଯ୍ୟକ୍ଷମ ହେବ । ପ୍ରାୟତଃ ରବିବାର ଠାରୁ ଏହି ଚେକ୍ ପୋଷ୍ଟର କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଶନିବାର ଦିନ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଗିରିସୋଲା ଯାଇ ସ୍ଥିତି ଅନୁଧ୍ୟାନକରି ଫେରିଥିବା ଜଣାପଡିଛି । ଅନ୍ୟରାଜ୍ୟରୁ ଓଡ଼ିଶାକୁ ପ୍ରବେଶ କରୁଥିବା ସମସ୍ତ ଗାଡି ଓ ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବ । ଯଦି ସେମାନେ କୋଭିଡ-୧୯ ରେଜିଷ୍ଟ୍ରେଶନ୍ ପୋଟାଲରେ ପଞ୍ଜିକୃତ ହୋଇଛନ୍ତି ତେବେ ସେମାନଙ୍କ ହାତରେ ଇଙ୍କ ସହାୟତାରେ ଷ୍ଟାମ୍ପିଂ କରାଯିବ । ଯଦି ସେଗୁଡିକ ପଞ୍ଜିକୃତ ନହୁଏ ତେବେ ସେମାନେ ଚେକ୍ ପୋଷ୍ଟରେ ପଞ୍ଜିକୃତ ହେବେ । ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିବହନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରିବା ସହ ଏଥିରେ ଯାଞ୍ଚ ପ୍ରକ୍ରିୟାରେ ସାମିଲ୍ ହେବେ ବୋଲି ଜଣାପଡିଛି । ଜିଲ୍ଲା ପୋଲିସ ପକ୍ଷରୁ ଡିଏସ୍ପି କିମ୍ବା ଇନ୍ସିପେକ୍ଟର ପଦବୀର ଜଣେ ପୋଲିସ ଅଧିକାରୀ ସୀମା ଯାଞ୍ଚ ପୋଷ୍ଟ(ବିସିପି) ଦାୟୀତ୍ୱରେ ରହିବେ । ଓଡ଼ିଶାରେ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତି ସରକାରଙ୍କ ନୀତି ନିର୍ଦ୍ଦାରଣକୁ ଅନୁସରଣ କରିବା ନିଶ୍ଚିତ ବୋଲି ଜଣାପଡିଛି । ବିଶେଷକରି ଆସନ୍ତା ୩ପରେ ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ଓଡ଼ିଶା ଆସିବାକୁ ଅନୁମାନକରି ଏହି ଯାଞ୍ଚ ଆରମ୍ଭ କରାଯାଉଥିବା ଜଣାପଡିଛି । ଏସ୍ପିଙ୍କ ଗସ୍ତ ସମୟରେ ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।