
-
ସହାୟତା ଦେବାର ପଞ୍ଚମ କିସ୍ତିରେ ପହଞ୍ଚିଲେ ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର ଜେନା
ଆଜି ସମଗ୍ର ମାନବ ସମାଜ ଏକ ଅନିଶ୍ଚିତ ପରିଧିରେ ଘୂର୍ଣ୍ଣାୟମାନ ହେଉଥିବା ବେଳେ ଜୀବନମରଣ ସମସ୍ୟା ସଭିଙ୍କୁ ସ୍ତବ୍ଧ କରିଦେଇଛି।ବାଲେଶ୍ଵରରେ ଲକ୍ ଡାଉନ୍ ଆରମ୍ଭ ବେଳଠୁ ଅଦ୍ୟାବଧି ଅସହାୟ ଲୋକଙ୍କ କଥା ଭାବୁଥିବା ଶ୍ରୀଜେନା ଓ ଶ୍ରୀମତୀ ଜେନା ଯେପରି ଥକି ପଡିନାହାନ୍ତି। ସେମାନଙ୍କ ହୃଦୟରେ ବସାବାନ୍ଧିଛି ଏ ଗୃହବନ୍ଦୀ ସମୟରେ ସହାୟତା ଆବଶ୍ୟକ କରୁଥିବା ତଥା ଦୈନନ୍ଦିନ ରୋଜଗାର ଉପରେ ନିର୍ଭରଶୀଳ ଲୋକମାନଙ୍କ କଥା। ବାଲେଶ୍ଵରରେ ଏବେ ବି ଆଶାର ରବି(ସୂର୍ଯ୍ୟ)ଙ୍କୁ ଢାଙ୍କି ଦେଇନି କଳାବାଦଲ।
ଆଜି ସକାଳେ ମଧ୍ୟ କେତେଜଣଙ୍କୁ ସେମାନଙ୍କ ସଂଘ ମାଧ୍ୟମରେ ସହାୟତାର ହାତ ବଢାଇଛନ୍ତି ରବୀନ୍ଦ୍ର ଜେନା। ସକାଳେ ବାଲେଶ୍ୱର ସହରର ସେଲୁନ୍ ମାନଙ୍କରେ କାମକରି ନିଜର ପରିବାର ପ୍ରତିପୋଷଣ କରୁଥିବା ୧୦୦ ଜଣ ବାରିକ ଭାଇଙ୍କୁ ଶ୍ରୀଜେନା ତାଙ୍କ ବାସଭବନରେ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ବଣ୍ଟନ କରିଛନ୍ତି।
ସେହିପରି ବାଲେଶ୍ୱର ବସଷ୍ଟାଣ୍ଡ୍ ଉପରେ ନିର୍ଭରଶୀଳ ୩୦ଜଣ ହକର୍ ଭାଇଙ୍କୁ, ବାଲେଶ୍ଵର ସହର ଓ ଚାନ୍ଦିପୁର ଅଞ୍ଚଳର ୧୦୦ ଜଣ ଅଟୋ ଚାଳକଙ୍କୁ ଏବଂ ୨୩ ଜଣ ଟ୍ରେକର୍ ଚାଳକଙ୍କୁ ସେମାନଙ୍କ ନିଜସ୍ୱ ସଂଘ ମାଧ୍ୟମରେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡିଛି। ବିପଦ ସମୟରେ ସହାୟତାର ହାତ ବଢାଇ ବିପଦର ବନ୍ଧୁ ସାଜିଥିବା ଶ୍ରୀଜେନାଙ୍କ ଏ ପ୍ରକାର କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରୁଥିବା ଦେଖାଯାଉଛି।
ଆଜିର ଏହି ବଣ୍ଟନ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ବାରିକ ସମିତି ପକ୍ଷରୁ ସମ୍ପାଦକ ଶୁଭ୍ରଲୋଚନ ବାରିକ, କୋଷାଧ୍ୟକ୍ଷ ହରେକୃଷ୍ଣ ବାରିକ, ସଂଗଠନ ସମ୍ପାଦକ ନିତ୍ୟାନନ୍ଦ ବାରିକ ଓ ରବୀନ୍ଦ୍ର ବାରିକ, ବାଲେଶ୍ୱର ଅଟୋରିକ୍ସା ସମନ୍ୱୟ କମିଟିର ସାଧାରଣ ସମ୍ପାଦକ ଉମାକାନ୍ତ ପାତ୍ର, କୋଷାଧ୍ୟକ୍ଷ ରାଜେନ୍ଦ୍ର ବେହେରା, ଯୁଗ୍ମ ସମ୍ପାଦକ ନିରଞ୍ଜନ ସାହୁ ଏବଂ ବାଲେଶ୍ୱରର ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।