ବ୍ରହ୍ମପୁର : ସୁବାରାଓ ଛକ ନିକଟସ୍ଥ ଶ୍ରୀ ରାୱାର ପରିସରରେ ବୁଧବାର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡିରେ ରକ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀ ଟାୱାରରେ ରହୁଥିବା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କରୋନା ଭୁତାଣୁ ସଂକ୍ରମଣକୁ ରୋକ ଲଗାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଥିବା ବେଳେ ରୋଗୀମାନେ ରକ୍ତ ଅଭାବରୁ ବିଭିନ୍ନ ସମୟରେ ମୃତ୍ୟୁମୁଖରେ ପଡୁଛନ୍ତି । ତେଣୁ ବିଜେଡି କର୍ମୀମାନେ ନିଜ ନିଜ ଅଞ୍ଚଳରେ ରକ୍ତଦାନ କରି ନିରୀହ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଧାୟକ ଗତ କିଛିଦିନଧରି ବିଭିନ୍ନ ସାହି ଗଳିକନ୍ଦିରେ ଅଞ୍ଚଳବାସୀଙ୍କୁ ପ୍ରବର୍ତ୍ତାଇ ଏହିଭଳି ରକ୍ତ ସଂଗ୍ରହ କରୁଥିବା ନଜିର ରହିଛି । ଶ୍ରୀ ଟାୱାରର ସଭାପତି ପ୍ରବୀର ପାତ୍ର, ସମ୍ପାଦକ ବେଣୁ ଦାସ, ନିରଞ୍ଜନ ବେହେରା, ପବିତ୍ର ମୋହନ ପାଣିଗ୍ରାହୀଙ୍କ ସମେତ ମଦନ ଦଳାଇ, ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ବଡ ଡାକ୍ତରଖାନାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।