-
ରାଜ୍ୟ ବାହାରୁ ଆସିବାକୁ ଥିବା ପ୍ରବାସୀଙ୍କ ପାଇଁ ସହରବାସୀ ଆତଙ୍କିତ ଅବସ୍ଥାରେ
ବ୍ରହ୍ମପୁର: ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ତୁଳନାରେ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନ ରୋଗୀ ଚିହ୍ନଟ ହୋଇନଥିବା ବେଳେ ଏଠାକାର ପ୍ରଶାସନ, ପୁଲିସ ଏବଂ ଲୋକଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଇଛି । ତେବେ ଆଗାମୀ ଦିନରେ ଆମ ଜିଲ୍ଲାକୁ ବିଭିନ୍ନ ବାହାର ରାଜ୍ୟରୁ ହଜାର ହଜାର ଶ୍ରମିକ ନିଜ ନାମ ପଂଜିକୃତ କରି ଆସିବେ ବୋଲି ଜଣାପଡିଛି । ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରମିକଙ୍କ ପାଇଁ କ୍ୱାରେଣ୍ଟାଇନ୍ ହୋମ୍ କରାଯାଇଛି । ବିଭିନ୍ନ ଅଞ୍ଚଳର ସ୍କୁଲ ଏବଂ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ କ୍ୱାରେଣ୍ଟାଇନ୍ ହୋମ୍ ଭାବେ ନିଆଯାଇଛି । ସେହିପରି ବ୍ରହ୍ମପୁର ସହରରେ ମଧ୍ୟ ୨୭ଟି କ୍ୱାରେଣ୍ଟାଇନ୍ ହୋମ୍ ନିଆଯାଇଛି । ସହରର ବିଭିନ୍ନ ଗଳି କନ୍ଦିରେ ଥିବା ବଡ ବଡ ଘରୋଇ କଲେଜ, ଛାତ୍ରାବାସକୁ କ୍ୱାରେଣ୍ଟାଇନ୍ ହୋମ୍ କରାଯାଇଛି । ଗୁଜୁରାଟ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ସହ ଅନ୍ୟ ରାଜ୍ୟଗୁଡିକରୁ ଲୋକେ ଆସୁଥିବା ବେଳେ ଉକ୍ତ ରାଜ୍ୟମାନଙ୍କର ସ୍ଥିତି ବର୍ତ୍ତମାନ ଗମ୍ଭୀର ରହିଛି । ସେଠାରୁ ଏଠାକୁ ଆସୁଥିବା ଯୋଗୁଁ ଏଠାରେ ରହୁଥିବା ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ବ୍ରହ୍ମପୁର ସହରରେ ନିଆଯାଇଥିବା ୨୭ଟି କ୍ୱାରେଣ୍ଟାଇନ୍ ହୋମ୍ରେ ବାହାର ରାଜ୍ୟରୁ ଆସି ରହିବେ ବୋଲି ଲୋକଙ୍କ ମନରେ ଏବେ ନୂଆ ଆତଙ୍କ ସୃଷ୍ଟି ହୋଇଛି । ଏହାକୁ ନେଇ ସ୍ଥାନୀୟ ଗୋଲ୍ଲାପଲ୍ଲୀ ସାହିବାସିନ୍ଦାମାନେ ବିରୋଧ କରିବା ସହ ସେଠାରୁ ତୁରନ୍ତ କ୍ୱାରେଣ୍ଟାଇନ୍ ହୋମ୍ ବାହାର କରିବାକୁ ମଧ୍ୟ ଦାବି କରିଥିଲେ । ଏହିପରି ବିଭିନ୍ନ ସନ୍ଦେହ ସହରବାସୀଙ୍କ ମନରେ ଉଠିବା ଯୋଗୁଁ ଏ ନେଇ ବିଏମସି କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି ଯେ, ଏଥିରେ କେହି ଭୟଭୀତ ହେବା ଆବଶ୍ୟକ ନାହଁ । ବାହାର ରାଜ୍ୟରୁ ଆସୁଥିବା ବ୍ରହ୍ମପୁର ସହରର ଲୋକେ ବ୍ରହ୍ମପୁରରେ ନିଆଯାଇଥିବା କ୍ୱାରେଣ୍ଟାଇନ୍ ହୋମ୍ରେ ହିଁ ରହିବେ । ଗ୍ରାମାଞ୍ଚଳର ଲୋକଙ୍କୁ ଗ୍ରାମାଞ୍ଚଳରେ ନିଆଯାଇଥିବା କ୍ୱାରେଣ୍ଟାଇନ୍ ହୋମ୍ରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏପରିକି ଗୋପାଳପୁର ଲୋକଙ୍କୁ ଗୋପାଳପୁର ଏବଂ ଛତ୍ରପୁର ଅଞ୍ଚଳର ଲୋକଙ୍କୁ ମଧ୍ୟ ଛତ୍ରପୁରଠାରେ ଥିବା କ୍ୱାରେଣ୍ଟାଇନ୍ ହୋମ୍ରେ ରଖାଯିବ ବୋଲି ସ୍ପଷ୍ଟ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ଯୋଗାଯୋଗ ବେଳେ ସେ ମଧ୍ୟ ଅନୁରୂପ କଥା କହିଥିଲେ । ବ୍ରହ୍ମପୁର ସହରରେ ଜିଲ୍ଲାର ଅନ୍ୟ କୌଣସି ଗ୍ରାମର ଲୋକଙ୍କୁ କ୍ୱାରେଣ୍ଟାଇନ୍ ହୋମ୍ରେ ରଖାଯିବ ନାହିଁ ବରଂ ବ୍ରହ୍ମପୁରର ଲୋକେ ଏହି ବ୍ରହ୍ମପୁର ସହରରେ ଥିବା କ୍ୱାରେଣ୍ଟାଇନ୍ ହୋମ୍ରେ ରହିବେ ବୋଲି ସ୍ପଷ୍ଟ କରିଥିଲେ ।