ବ୍ରହ୍ମପୁର : ମଙ୍ଗଳବାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡା ପଞ୍ଚାୟତରେ ଥିବା ଏକ ପଥର କୁଆଁରୀରେ କିଛି ଶ୍ରମିକ କାମ କରୁଥିବା ବେଳେ ୩ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଶ୍ରମିକ ଓ ଜଣେ ଯୁବକ ରହିଥିବା ଜଣାଯାଇଛି । ମୃତକମାନେ ହେଲେ ଟାଙ୍ଗଣାପଲ୍ଲୀର ମିନତୀ ନାୟକ (୨୫), ପଙ୍କଜ ଦାସ(୨୦) ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗ୍ରାମର ଭକତ ପରିଡା (୩୪) । ମଙ୍ଗଳବାର ଅପରାହ୍ନ ଶ୍ରମିକମାନେ ଭାଟକୁମରଡା ପଞ୍ଚାୟତର ଏକ ପଥର କୁଆଁରୀରେ କାମ କରୁଥିଲେ । ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ପାହାଡରୁ ପଥର ଖସିବାରୁ ୩ ଜଣ ଶ୍ରମିକ ଚାପି ହୋଇଯାଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । କିନ୍ତୁ ଏଥିରେ ଅନ୍ୟ କେହି ଶ୍ରମିକ ଆହତ ହୋଇନଥିବା ଜଣାପଡିଛି ।
ଖବର ପାଇ ଥାନା ଆଇଆଇସି ଜଗନ୍ନାଥ ମଲିକ, ଏସଆଇ ସୁନୀଲ ପ୍ରଧାନ, ଏସଆଇ ରବିନ୍ଦ୍ର ନାଥ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ôଚଥିଲେ । ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନାହିଁ । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି । ସୂଚନା ଥାଉ କି ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କ କହିବା ପ୍ରକାରେ ଗତ କିଛି ଦିନ ହେବ କାଳବୈଶାଖୀ ବର୍ଷା ଯୋଗୁଁ ପାହାଡ଼ ଉପରେ ଥିବା ମାଟି ଓଦା ହୋଇ ରହିଥିଲା । ମଙ୍ଗଳବାର ଶ୍ରମିକମାନେ ପାହାଡ଼ ତଳେ ଥିବା କୁଆଁରୀରେ କାମ କରୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ମାଟିଅତଡ଼ା ଖସିଯାଇଥିଲା । ମାଟି ଅତଡ଼ା ଭିତରେ ଥିବା ପଥର ଉକ୍ତ ଶ୍ରମିକଙ୍କ ଉପରେ ପଡ଼ିଯିବାରୁ ଘଟଣା ସ୍ଥଳରେ ହିଁ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ପୁରୁଷୋତ୍ତମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।