
ପୁରୀ– ଭୁବନେଶ୍ୱରରୁ ଆସିଥିବା ଜଣେ ଠିକାଦାର ଶ୍ରୀମନ୍ଦିରରେ ଭିତରେ ପ୍ରବେଶ କରିବାକୁ ନେଇ ମଙ୍ଗଳବାର ଦିନ ସଚେତନ ନାଗରିକ ମଂଚ ପକ୍ଷରୁ ଏହାର ସଭାପତି ପ୍ରସନ୍ନ ଦାଶ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ଏହି ଏତଲାରେ ଦର୍ଶାଇଛନ୍ତି ଯେ, ବିଶ୍ୱ ମହାମାରୀ କରୋନା ଅଂଚଳଭାବେ ଓଡିଶାରେ ପରିଚିତ ଭୁବନେଶ୍ୱର ଅଂଚଳରୁ ଆସି ଠିକାଦାର ଦିଲ୍ଲୀପ ଖଟେଇ କିପରି ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ କଲେ ଏ ସମ୍ପର୍କରେ ତଦନ୍ତ କରାଯାଉ । ସମଗ୍ର ରାଜ୍ୟ ଲକଡାଉନ ଥିବା ଯୋଗୁଁ ଓ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ଠିକାଦାର କିପରି ଶ୍ରୀମନ୍ଦିରରେ ପ୍ରବେଶ କଲେ ତାକୁ ନେଇ ତଦନ୍ତ ପାଇଁ ମଂଚ ଦାବି କରିଛି । ଅକ୍ଷୟତୃତୀୟା ଦିନ ଏହି ଠିକାଦାର ବାରମ୍ବାର ବିନା ସାଇଟାଇଜେସନରେ କିପରି ତାଙ୍କ ସହଯୋଗୀ ଶ୍ରମିକଙ୍କୁ ଧରି ପ୍ରବେଶ କଲେ ସେ ସଂପର୍କରେ ତଦନ୍ତ ଦାବି କରିଛନ୍ତି । ଠିକାଦାରଙ୍କ କରୋନା ଟେଷ୍ଟ କରାନଯାଇ ତାଙ୍କୁ କିପରି ଶ୍ରୀମନ୍ଦିରରେ ପ୍ରବେଶର ଅନୁମତି ମିଳିଲା ତାହାର ତଦନ୍ତ କରାଯାଉ । ଠିକାଦାରଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦେଲା କିଏ , କାହିଁକି ଅନୁମତି ଦେଲା, ଠିକାଦାରଙ୍କ କ’ଣ କାମ ଥିଲା, କିପରି ଭୁବନେଶ୍ୱରରୁ ପୁରୀ ଆସିଲେ, ତାଙ୍କ ସହ କେଉଁ ସହଯୋଗୀ ଥିଲେ, କେଉଁ କେଉଁ ଅଂଚଳ ସେ ବୁଲିଛନ୍ତି, ତାଙ୍କ ସଂର୍ସ୍ପଶରେ କେଉଁମାନେ ଆସିଛନ୍ତି ସେ ସମ୍ପର୍କରେ ବିଧିବଦ୍ଧ ଯାଂଚ କରିବା ପାଇଁ ଦାବି କରିଛନ୍ତି । ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନ ୧୮୮, ୨୬୯, ୨୭୦, ୨୭୧ ଓ ୩୫୩ ଦଫାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ଦାଶ ଦାବି କରିଛନ୍ତି ।