ବୌଦ୍ଧ– ଲକ୍ ଡାଉନ ସମୟରେ ମେଡିକାଲକୁ ଯିବା ବାହାନାରେ ବାହାଘର କରିବାକୁ ଯାଉଥିଲେ, ତାହା ପୁଣି ନକଲି ଗାଡି ପାସ୍ ଧରି । ପୋଲିସ ତଲାସୀ ସମୟରେ ଏହି ଗାଡିକୁ ଜବତ କରିବା ସହ ବାହାଘର ପାଇଁ ଯାଉଥିବା ନାବାଳିକା ବଧୂକୁ ଉଦ୍ଧାର କରିଛି ।
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ବେଳେ ବିନା ଜରୁରୀ ଗାଡି ସବୁ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଅତି ଜରୁରୀ କାର୍ଯ୍ୟ ଥିଲେ, ନିୟମ ଅନୁଯାୟୀ ଗାଡି ପାସ୍ କରିବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ବୌଦ୍ଧ ଥାନା ଅର୍ନ୍ତଗତ ନାରାୟଣପୁରର ଜଣେ ଗାଡି ମାଲିକ ଏକ ଜାଲ ପାସ୍ ପ୍ରସ୍ତୁତ କରି ବିବାହ କାର୍ଯ୍ୟରେ ଗାଡି ଭଡ଼ା ଦେଇଥିବା ବେଳେ ପୋଲିସ ହାତରେ ଗିରଫ ହେବା ସହ ଗାଡି ଜବତ କରାଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ସୋମବାର ଦିନ ବଡ ିଭୋରରୁ ବୌଦ୍ଧ ପୋଲିସ ପକ୍ଷରୁ ସହରର ବ୍ରିଜ ଛକ ଠାରେ ଗାଡି ମୋଟର ଯାଂଚ୍ କରାଯାଉଥିଲା । ଏହି ସମୟରେ ଏକ ହୋଣ୍ଡା ମୋବିଲିଓ କାର୍ ନଂ ( ଓଡି-୨୭-୮୬୮୬) ଆଗରେ କାର୍ ପାସ୍ ଲଗାଇ ବୌଦ୍ଧ ପଟୁ ସୋନପୁର ଆଡକୁ ଯାଉଥିଲା । ପୋଲିସ କର୍ମଚାରୀ ମାନେ ଗାଡିକୁ ଅଟକାଇବା ସହ ଗାଡିରେ ୫ ଜଣ ବସିଥିବାରୁ ସନ୍ଦେହ ଦେଖାଦେଇଥିଲା । ପୋଲିସ କର୍ମଚାରୀ ଗାଡିର ଚାଳକକୁ ଏ ବାବଦରେ ପଚାରିବାରୁ ଗାଡିର ମାଲିକଙ୍କ ନିର୍ଦ୍ଦେଶରେ ବିବାହ କାର୍ଯ୍ୟରେ କନ୍ୟା ଓ ତାର ପରିବାର ଲୋକଙ୍କୁ ଧରି ସୋନପୁର ଜିଲା ବୀରମହାପୁର ବ୍ଳକର ଇଚ୍ଛାପୁର ଗ୍ରାମକୁ ଯାଉଥିବା ପ୍ରକାଶ କରିଥିଲା । ଏନେଇ ପୋଲିସ କର୍ମଚାରୀ ଗାଡିର ପାସ୍ ମାଗିବାରୁ ପାସ୍ ଟି ମେଡିକାଲ କାର୍ଯ୍ୟରେ ଯାଉଥିବା ଦେଖିବା ପରେ ପୋଲିସର ସନ୍ଦେହ ଆହୁରି ବଢିଯାଇଥିଲା । ପୋଲିସ କର୍ମଚାରୀ ଗାଡି ଓ ସମସ୍ତ ଯାତ୍ରୀଙ୍କୁ ବୌଦ୍ଧ ଥାନାକୁ ନେଇ ଆସିଥିଲେ । କିନ୍ତୁ, ତଦନ୍ତରେ ବିିବାହ କରିବାକୁ ଯାଉଥିବା କନ୍ୟା ଜଣକ ନାବାଳିକା ଥିବା ପୋଲିସ ଜାଣିପାରିଥିଲା । । ପୋଲିସ ପକ୍ଷରୁ ନାବଳିକାକୁ ତାର ପରିବାର ଲୋକଙ୍କ ଜିମା ଦିଆଯିବା ସହ ଏକ ନାବାଳିକା ବିବାହକୁ ରୋକାଯାଇ ପାରିଥିଲା । ଏନେଇ ପୋଲିସ ପକ୍ଷରୁ ଜାଲ୍ ପାସ୍ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା । ଏହି ଜାଲ୍ ପାସ୍ ଟି ବୌଦ୍ଧ ସହରର ରାମମନ୍ଦିର ଠାରେ ଥିବା ଜନସେବା କେନ୍ଦ୍ର ଠାରେ ପ୍ରସ୍ତୁତ କରାଯାଇଥିବା ନେଇ ଗାଡିର ମାଲିକ ବୌଦ୍ଧ ନାରାୟଣପୁର ଗ୍ରାମର ଅର୍ଜୁନ ପୃଷ୍ଟି ମାନିବା ପରେ ପୋଲିସ ଜନସେବା କେନ୍ଦ୍ରର ମାଲିକ ମୁରୁଷୁଣ୍ଡି ଗ୍ରାମର ଅରୁଣ କୁମାର ମହାପାତ୍ରଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିଥିଲା । ସେ ମଧ୍ୟ ପାସ୍ ଟିକୁ ଜାଲ୍ ଭାବେ ପ୍ରସ୍ତୁତ କରିଥିବା ପୋଲିସ ଆଗରେ ମାନିଥିଲା । ଏନେଇ ବୌଦ୍ଧ ପୋଲିସ ପକ୍ଷରୁ ଜାଲ ପାସ୍ ଓ କରୋନା କଟକଣା ନେଇ ଥାନା କେଶ ନଂ ୧୧୨/୨୦ରେ ଏକ ମାମଲା ରୁଜୁ କରି ଗାଡିର ମାଲିକ ଅର୍ଜୁନ ପୃଷ୍ଟି, ଜନସେବା କେନ୍ଦ୍ରର ମାଲିକ ଅରୁଣ କୁମାର ମହାପାତ୍ର ଓ ଗାଡିର ଚାଳକ ପଳାସ ଗ୍ରାମର ଜିତେନ୍ଦ୍ର ଦ୍ୱାରିଙ୍କୁ ଗିରଫ କରିବା ସହ ଗାଡିକୁ ଜବତ କରିଛି ।
ଏନେଇ ବୌଦ୍ଧ ଥାନା ଅଧିକାରୀ ତପସ୍ୱନୀ କହଁରଙ୍କୁ ପଚାରିବାରୁ ଜାଲ୍ ପାସ୍ କରି ଗାଡିଭଡା ଦେଇଥିବାରୁ ଗାଡି ଜବତ ଓ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ କରିଅଛନ୍ତି ।