ବୌଦ୍ଧ– ଶିଳ୍ପ ବିହିନ ବୈାଦ୍ଧ ଜିଲ୍ଲାରେ ରୋଜଗାର ଏକ ବଡ ସମସ୍ୟା ହୋଇଥିବା ବେଳେ କାମଧନ୍ଦା ଅଭାବରୁ ଜିଲ୍ଲାରୁ ଶହଶହ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଛନ୍ତି । ବାହାରେ କାମଧନ୍ଦା କରି ଭଲ ଦି ପଇସା ରୋଜଗାର କରିବା ଆଶାରେ ବାହାରକୁ ଚାଲି ଯାଇଛନ୍ତି । ସେଠାରେ ରୋଜଗାର କରି ନିଜେ ଚଳିବା ସହିତ ଘରକୁ ମଧ୍ୟ ଦି ପଇସା ପଠାଉଛନ୍ତି । ହେଲେ ଏବେ ଦେଶରେ କରୋନା ମହାମାରୀ ଦେଖାଦେବା ଫଳରେ ଏହି କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସାରା ଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି । ଲକ୍ ଡାଉନ୍ ଯୋଗୁଁ ଅତ୍ୟାବଶ୍ୟକ ଦୋକାନ ଗୁଡିକ ଖୋଲିବା ସହିତ ଅନ୍ୟ ସବୁ ଦୋକାନ ଗୁଡିକ ବନ୍ଦ କରାଯାଇଥିଲା । ଏପରିକି ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ଯାହା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଲୋକ ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନେ ନିଜ ନିଜ ଅଂଚଳକୁ ଫେରିବା ପାଇଁ ବ୍ୟାକୁଳ ହୋଇ ପଡିଛନ୍ତି । ରାଜ୍ୟ ବାହାରେ ରହିଥିବା ଲୋକଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସେଥିପାଇଁ ବାହାର ରାଜ୍ୟରେ ରହିଥିବା ଲୋକ ଯଦି ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି ତାହାହେଲେ ସେମାନଙ୍କ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି । ବୈାଦ୍ଧ ଜିଲ୍ଲାର ବହୁ ଲୋକ ରାଜ୍ୟ ବାହାରେ ରହିଥିବା ବେଳେ ଲକ୍ ଡାଉନ ଯୋଗୁଁ ସେଠାରେ ଫସି ଯାଇଛନ୍ତି । ଦୁଃଖ ଦୁର୍ଦ୍ଦଶା ଓ ଅଭାବ ଅନାଟନ ମଧ୍ୟରେ ଅଖିଆ ଅପିଆ ବହୁ ଶ୍ରମିକ ପଡି ରହିଛନ୍ତି । ସେମାନଙ୍କୁ ଯୋଗସୂତ୍ର କରାଯାଇ ସେମାନଙ୍କ ଅଭାବ ଅସୁବିଧାକୁ ପୁରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ରାଜ୍ୟ ବାହାରେ ରହିଥିବା ଲୋକମାନେ ଜିଲ୍ଲାକୁ ଆସିବାକୁ ଚାହିଁ ବସିଛନ୍ତି । ଯେଉଁମାନେ ନିଜ ନିଜ ଜିଲ୍ଲାକୁ ଫେରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ ମାଧ୍ୟମରେ କିମ୍ବା ପଚାଂୟତରେ ପଞ୍ଜିକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତ ତିନିଦିନ ମଧ୍ୟରେ ୭୧୦ ଜଣ ଜିଲ୍ଲାକୁ ଫେରିବା ପାଇଁ ପଞ୍ଜିକରଣ କରିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ବୈାଦ୍ଧ ବ୍ଲକରୁ ୨୧୩ ଜଣ, ବୈାଦ୍ଧ ଏନଏସିରୁ ୩ ଜଣ, କଂଟାମାଳରୁ ୧୪୭ ଜଣ ଓ ହରଭଙ୍ଗା ବ୍ଲକରୁ ୩୪୭ ଜଣ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଜିଲ୍ଲାକୁ ପ୍ରାୟ ୫ ହଜାର ଲୋକ ଫେରିବା ନେଇ ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି । ଜିଲ୍ଲା ଫେରନ୍ତାଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ନିଜ ନିଜ ପଚାଂୟତରେ ୧୪ ଦିନ କ୍ୱାରେଂଟାଇନରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଏହି ସମୟରେ ସେମାନେ ଯେପରି ଗ୍ରାମ ମଧ୍ୟକୁ ନ ଯାଅନ୍ତି ସେଥିପାଇଁ ଯୋଜନା କରାଯାଇଛି । ଜିଲ୍ଲାକୁ ଫେରନ୍ତାମାନେ ଆବେଦକାରୀ ନିଜେ ଅନ ଲାଇନ୍ ଜରିଆରେ ଆବେଦନ କରି ପାରିବେ ନତୁବା ନିଜ ସମ୍ପର୍କିୟଙ୍କ ଦ୍ୱାରା ନାମ ପଞ୍ଜିକରଣ କରି ପାରିବେ କିମ୍ବା ପଚାଂୟତରେ ପଞ୍ଜିକରଣ କରି ପାରିବେ ।