ବୌଦ୍ଧ- କରୋନା ମାହାମାରୀ ଯୋଗୁଁ ସାରାଦେଶରେ ଲକ୍ ଡାଉନ ଜାରିହୋଇଥିବା ବେଳେ ଏହି ସମୟ ମଧ୍ୟରେ ଜିଲ୍ଲାକୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଂଟାଇନରେ ରଖାଯାଉଛି । ବୈାଦ୍ଧ ଜିଲ୍ଲାରେ ୬୯ ପଚାଂୟତର ୮୨ଟି କେନ୍ଦ୍ରରେ ୨୯୪୭ ଜଣ କ୍ୱାରେଂଟାଇନରେ ରହିଥିବା ବେଳେ ସେଥିମଧ୍ୟରୁ ୨୫୦୭ ଜଣଙ୍କ କ୍ୱାରେଂଟାଇନ ଅବଧି ଶେଷ ହେବାରୁ ସେମାନେ ଘରକୁ ଫେରିଥିବା ଜଣାପଡିଛି । ବର୍ତମାନ ଜିଲ୍ଲାର ବିଭିନ୍ନ କ୍ୱାରେଂଟାଇନ କେନ୍ଦ୍ରରେ ୪୪୦ ଜଣ କ୍ୱାରେଂଟାଇନରେ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ କ୍ୱାରେଂଟାଇନରେ ରହିଥିବା ଲୋକଙ୍କ ଉପରେ କଡ଼ା ନଜର ରଖିଛି । ଆବଶ୍ୟକ ସ୍ଥଳେ କିଛି ଲୋକଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା । ହେଲେ ସମସ୍ତ ଟେଷ୍ଟ ରିପୋର୍ଟ ନେଗେଟିଭ୍ ବାହାରିଛି । ଲକ୍ ଡାଉନ୍ ପୂର୍ବରୁ ଜିଲ୍ଲାର ଅନେକ କର୍ମଚାରୀ ଓ ଅଧିକାରୀ ଜିଲ୍ଲା ବାହାରକୁ ନିଜ ନିଜ ଘରକୁ ଚାଲିଯାଇଥିବା ବେଳେ ସେମାନେ ଏବେ ଜିଲ୍ଲାକୁ ଫେରି କାର୍ଯ୍ୟରେ ଯୋଗଦେଉଛନ୍ତି । ଯେପରିକି ସଂକ୍ରମିତ ଜିଲ୍ଲା ଗୁଡିକରୁ ଆସି ସିଧା ସଳଖ କାର୍ଯ୍ୟରେ ଯୋଗଦେଉଥିବାର ଅଭିଯୋଗ ହେଉଛି । ଯାହାକୁ ନେଇ ଜିଲ୍ଲାବାସୀ ଆତଙ୍କିତ ହୋଇ ପଡିଛନ୍ତି । ଯେଉଁ ବିଭାଗର କର୍ମଚାରୀ ଜିଲ୍ଲା ବାହାରକୁ ଯାଇ ଜିଲ୍ଲାକୁ ଫେରିଛନ୍ତି । ସେହି ବିଭାଗ ପ୍ରଶାସନକୁ ଜଣାଇବା କଥା, ଯାହାଫଳରେ ସେହି କର୍ମଚାରୀ କିମ୍ବା ଅଧିକାରୀଙ୍କୁ କ୍ୱାରେଂଟାଇନରେ ରଖିବା ପାଇଁ ବ୍ୟବସ୍ଥା କରାଯିବା କଥା, କିନ୍ତୁ ଅନେକ ବିଭାଗ ଏନେଇ ପ୍ରଶାସନକୁ ଜଣାଇ ନଥିବାରୁ ସେମାନଙ୍କୁ କ୍ୱାରେଂଟାଇନରେ ରଖାଯାଇ ପାରିନାହିଁ । କେତେକ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କୁ ହୋମ କ୍ୱାରେଂଟାଇନରେ ରଖାଯାଇଥିବା ଜଣାପଡିଛି । ଯେଉଁ କର୍ମଚାରୀମାନେ ଜିଲ୍ଲା ବାହାରୁ ଆସି କାର୍ଯ୍ୟରେ ଯୋଗଦେଇଛନ୍ତି, ଯଦି ସେଭଳି କର୍ମଚାରୀମାନଙ୍କ ଦୃଷ୍ଟି ଗୋଚର ହୁଏ ତାହାହେଲେ ପ୍ରଶାସନକୁ ଜଣାଇବାକୁ କୁହାଯାଉଛି । ଏପରିକି ଜିଲ୍ଲା ବାହାରୁ ଆସିଥିବା ଲୋକ ଯଦି ପ୍ରଶାସନକୁ ନଜଣାଇ ଘରେ ରହୁଛନ୍ତି । ସେଭଳି ବ୍ୟକ୍ତିଙ୍କୁ ପୋଲିସ ସାହାଯ୍ୟରେ ଆଇସୋଲେସନ କେନ୍ଦ୍ରକୁ ନିଆଯାଉଛି । ସେଠାରେ ୧୪ ଦିନ ପାଇଁ ରଖାଯାଉଛି । ଜିଲ୍ଲାର ୬୯ ପଚାଂୟତର ୮୨ ସ୍ଥାନରେ କ୍ୱାରେଂଟାଇନ ସେଂଟର କରାଯାଇଛି । ପଚାଂୟତ ବ୍ୟତୀତ କେତେକ ସ୍ଥାନରେ ହାଇସ୍କୁଲ ଓ କଲ୍ୟାଣ ମଣ୍ଡପକୁ କ୍ୱାରେଂଟାଇନ କେନ୍ଦ୍ର ଭାବରେ ନିଆଯାଇଛି । ସମସ୍ତ ସେଂଟର ଗୁଡିକରେ ପିଇବା ପାଣି, ବିଦ୍ୟୁତ ସଂଯୋଗ, ପାଇଖାନା, ଫ୍ୟାନ ଆଦିର ସୁବିଧା କରାଯାଇ ସାରିଛି ।
Related Stories
November 26, 2024