ଭୁବନେଶ୍ୱର – କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ୧୬.୦୭ ଲକ୍ଷ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସଂପୃକ୍ତ ଶ୍ରମିକଙ୍କ ଗ୍ରାମରେ/ଘରେ ଜିଲ୍ଲା/ବ୍ଲକ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏହି ସହାୟତା ପ୍ରଦାନ କରାଯାଉଛି । ଏଯାବତ୍ ୨୪୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ୭ ଲକ୍ଷ ଗର୍ଭବତୀ ଓ ପ୍ରସୂତି, ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କୁ ମିଶାଇ ୪୧ ଲକ୍ଷ ହିତାଧିକାରୀଙ୍କୁ ମାସିକ ପୁଷ୍ଟିସାଧନ ପାଇଁ ଶୁଖିଲା ଖାଦ୍ୟ ବାବଦକୁ ଛତୁଆ, ଲଡ଼ୁ ଓ ଅଣ୍ଡା ଇତ୍ୟାଦି ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଘରେ ପହଂଚାଇ ଦିଆଯାଉଛି ।
କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଂଚାୟତରେ ୧,୭୨,୯୩୧ ଶଯ୍ୟାବିଶିଷ୍ଟ ମୋଟ ୭୧୨୫ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି ।
ଆଜି ରାଜ୍ୟର ୫୫୪୩ ଗ୍ରାମ ପଂଚାୟତରେ ୩,୬୧,୪୮୦ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଂଚଳରେ ୪୧,୦୧୬ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।