ବ୍ରହ୍ମପୁର: ସହରୀ ବେତନ ନିଯୁକ୍ତି ଅଭିଯାନ ଅଧିନରେ ବ୍ରହ୍ମପୁର ମହାନଗର ନିଗମ ୨ଟି ପାଇଲଟ୍ କାର୍ଯ୍ୟ ଆରମ୍ଭ କରିଛି । ନିଗମର ୨ଟି ସ୍ୱୟଂ ସହାୟିକା ଗୋଷ୍ଠୀର ୨୦ଜଣ ସଦସ୍ୟଙ୍କୁ ବେତନ ନିଯୁକ୍ତି ପ୍ରଦାନ କରାଯାଇ ଏହି କାର୍ଯ୍ୟର ଆରମ୍ଭ ଗତ ୨୦ତାରିଖ ଦିନ ଆରମ୍ଭ ହୋଇଥିଲା । କାନ୍ଥପେଟିଂ, ପର୍କୋଲେସନ୍ ଗର୍ତ୍ତ(ଛୋଟ ଛୋଟ ଗର୍ତ୍ତ) ଆଦି କାର୍ଯ୍ୟର ଶୁଭାରମ୍ଭ ହୋଇଥିବା ବେଳେ ବର୍ଷାଜଳ ସଂରକ୍ଷଣ ଓ ଖୋଲା ଜାଗାର ଉନ୍ନତିକରଣ ସହ ପରିବେଶକୁ ସୌନ୍ଦର୍ଯ୍ୟକରଣ କରାଯିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାନଗର ନିଗମ ପକ୍ଷରୁ ସହର ଭିତରେ ଥିବା ୪୧ଟି ସରକାରୀ କାର୍ଯ୍ୟାଳୟରେ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସମ୍ପୃକ୍ତ କାର୍ଯ୍ୟାଳୟର ବିଭାଗୀୟ ମୁଖ୍ୟଙ୍କୁ ଚିଠି କରିଥିବା ଜଣାଯାଇଛି । ସେଥିମଧ୍ୟରେ ଅଛି ଏସ୍ପି, ଉପଜିଲ୍ଲାପାଳ, ବନ ବିଭାଗ, ଏମ୍କେସିଜି, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟାଳୟ । ଆବଶ୍ୟକତା ଦେଖି ବିଏମ୍ସିକୁ ଚିଠି ମାଧ୍ୟମରେ ଅବଗତ କରାଇଲେ ବିଏମ୍ସି ପକ୍ଷରୁ ଉକ୍ତ କାର୍ଯ୍ୟାଳୟଗୁଡିକରେ ସୌନ୍ଦର୍ଯ୍ୟକରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ଏହି ମର୍ମରେ ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ କାର୍ଯ୍ୟାଳୟ ପରିସର ବୁଲି କେଉଁଠି କ’ଣ କରାଯିବ ତାହାର ରୂପରେଖ ପ୍ରସ୍ତୁତକରି ମହାନଗର ନିଗମ କମିଶନରଙ୍କୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉପଜିଲ୍ଲାପାଳଙ୍କ ସହିତ ୩ଜଣ ସହାୟକ ଜିଲ୍ଲାପାଳ ବିନୋଦ ବେହେରା, ମାଲେଶୁ ପାତ୍ର, ରମେଶ ମହାରଣାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
Related Stories
November 25, 2024