-
ଗ୍ରାମାଞ୍ଚଳରେ ୮୭୫୮୪ ଓ ସହରାଞ୍ଚଳରୁ ୪୪୪୮ଜଣ କରିଛନ୍ତି ପଞ୍ଜିକରଣ
ବ୍ରହ୍ମପୁର: ପ୍ରବାସୀ ଓଡ଼ିଆଙ୍କ ଦୁଃଖ । ଜୀବିକା ପାଇଁ ପରିବାର ଛାଡି ରାଜ୍ୟ ବହାରକୁ ଯିବା ଯେତିକି କଷ୍ଟଦାୟକ, ତା’ଠାରୁ ଅଧିକ ଦୁଃଖଦାୟକ ହେଉଛି ବର୍ତ୍ତମାନର ପରିସ୍ଥିତି । କରୋନା ପାଇଁ କମ୍ପାନୀ ବନ୍ଦ, କାମ ବନ୍ଦ । ଏକମାସରୁ ଅଧିକ ଦିନ ହେବ ହାତବାନ୍ଧି ଘରେ ବସିଛନ୍ତି । ସଞ୍ଚିତ ଅର୍ଥର ସିଂହଭାଗ ଘରକୁ ପଠାଇ ଦେଇଥିଲେ । ଯାହା କିଛି ପାଖରେ ଥିଲା ମାସେ ଭିତରେ ସରିଗଲାଣି । ବିନା ଅର୍ଥରେ ଆଗକୁ ବଢିବା ଅସମ୍ଭବ । ତଥାପି କଷ୍ଟେମଷ୍ଟେ ମାସେ ବିତାଇସାରିବା ପରେ ଏବେ ଓଡ଼ିଶା ସରକାର ସେମାନଙ୍କୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି । ଓଡ଼ିଶାର ଅଧିକାଂଶ ଶ୍ରମିକ ଓ କର୍ମଚାରୀ ଶ୍ରେଣୀର ଲୋକ ଗୁଜୁରାଟ, ତାମିଲନାଡୁ, କେରଳ, ଆସାମ, କର୍ଣ୍ଣାଟକ, ଆନ୍ଧ୍ର, ମହାରାଷ୍ଟ୍ରରେ ଫସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ଓଡ଼ିଶା ସରକାର ପଞ୍ଜିକରଣ ବ୍ୟବସ୍ଥା କରିଛନ୍ତି । ଏପ୍ରିଲ୍ ୨୪ ତାରିଖରୁ ଏହି ପଞ୍ଜିକରଣ ଆରମ୍ଭ ହୋଇଛି । ଇତିମଧ୍ୟରେ ୫ ଦିନ ଭିତରେ ପାଖାପାଖି ଲକ୍ଷେ ଲୋକ ଗଞ୍ଜାମ ଫେରିବାକୁ ପଞ୍ଜିକରଣ କରିସାରିଲେଣି । ପଞ୍ଜିକୃତ ଶ୍ରମିକଙ୍କ ମଧ୍ୟରେ ୯୦% ଗ୍ରାମାଞ୍ଚଳର ହୋଇଥିବା ବେଳେ ୧୦% ସହରାଞ୍ଚଳର । ସେଥିରୁ ଅଧିକାଂଶ ଲୋକ ଗୁଜୁରାଟର ସୁରଟରୁ ଫେରୁଥିବା ସୂଚନା ମିଳିଛି । ଏପରି ସ୍ଥଳେ ଲକ୍ଷାଧିକ ପ୍ରବାସୀ ଓଡ଼ିଆଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହେବବୋଲି କୁହାଯାଉଛି । ଏବେସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଜଣେ ମଧ୍ୟ କରୋନା ସଂକ୍ରମଣ ହୋଇ ନ ଥିବାରୁ ପ୍ରବାସୀଙ୍କ ଓଡ଼ିଆଙ୍କ ଘର ବାହୁଡା ଚିନ୍ତା ବଢାଇଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ, ବର୍ତ୍ତମାନ ସୁଦ୍ଧା ୯୨ହଜାର ୩୨ଜଣ ଜିଲ୍ଲା ଟ୍ରାଭଲର ରେଜିଷ୍ଟ୍ରରରେ ନାମ ପଞ୍ଜିକୃତ କରିସାରିଛନ୍ତି । ଜିଲ୍ଲାର ୨୨ଟି ବ୍ଲକ୍ର ଯେଉଁମାନେ ପ୍ରବାସରେ ରହୁଛନ୍ତି ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଅନ୍ଲାଇନ୍ରେ ୬୩୪୫୪ଜଣ ନିଜସ୍ୱ ଉଦ୍ୟମରେ ପଞ୍ଜିକରଣ କରିଥିବା ବେଳେ ପରିବାର ଲୋକଙ୍କ ଦ୍ୱାରା ୧୭୮୭, ଗ୍ରାମ ପଞ୍ଚାୟତ ଅଧିନରେ ୨୨୩୪୩ଜଣ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ୱେବସାଇଟ୍ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ପଞ୍ଜିକୃତ କରିଥିବା ଜଣାପଡିଛି । ମୋଟ ୮୭ହଜାର ୫୮୪ଜଣ ଗ୍ରାମାଞ୍ଚଳରୁ ପଞ୍ଜିକୃତ ହୋଇଥିବା ଜଣାପଡିଛି । ସେହିଭଳି ଜିଲ୍ଲାର ୧୭ଟି ଏନ୍ଏସି, ବ୍ରହ୍ମପୁର ମହାନଗର ନିଗମକୁ ମିଶାଇ ୧୮ଟି ସହରାଞ୍ଚଳରେ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ୩୩୦୮, ପରିବାର ସଦସ୍ୟଙ୍କ ଦ୍ୱାରା ୮୫ ଓ ୱାର୍ଡ କମିଟି ମାଧ୍ୟମରେ ୧୦୫୫ଜଣ ନାମ ପଞ୍ଜିକୃତ କରିଥିବା ଜଣାପଡିଛି । ମୋଟ ୪୪୪୮ଜଣ ପଞ୍ଜିକୃତ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ଗତ ୫ଦିନ ସନ୍ଧ୍ୟା ସୁଦ୍ଧା ୯୨ହଜାର ୩୨ଜଣ ପ୍ରବାସୀ ପଞ୍ଜିକୃତ କରିଥିବା ବେଳେ ଏମାନଙ୍କ ଫେରିବା ବ୍ୟବସ୍ଥା ଓ ଆସିବାପରେ ସେମାନଙ୍କ ରହିବା ବ୍ୟବସ୍ଥା ପାଇଁ ପ୍ରଶାସନସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା କୁହାଯାଇଛି ।