ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ପ୍ରଶାସନିକ ସ୍ତରରୁ ଆରମ୍ଭକରି ପୋଲିସ, ସ୍ୱାସ୍ଥ୍ୟକର୍ମୀଭଳି ଲୋକଙ୍କୁ ସେବା ଯୋଗାଉଥିବା ବହୁ ବିଭାଗ ଅଣ୍ଟାଭିଡି ଦିନରାତି କାର୍ଯ୍ୟ କରୁଥିବା ବେଳେ ଏହାର ଫାଇଦା ନେଇ ଅସାଧୁ ବ୍ୟବସାୟୀଙ୍କ କଳା କାରନାମାରେ ଏବେ ସହର ବଦନାମ ହେବାକୁ ଯାଉଛି । କିଛି ଅସାଧୁ ବ୍ୟବସାୟୀ ରାତି ଅଧିଆ କଳାଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଗଳାବାଟ ଦେଖି ନିଜ ସାମ୍ରାଜ୍ୟକୁ ବଢ଼ାଇ ଚାଲିଛନ୍ତି । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମଦ ମାଫିଆଙ୍କୁ ସାବାଡ କରିସାରିବାପରେ ଏବେ ପୋଲିସ ନକଲି ଗୁଟୁଖା ମାଫିଆଙ୍କ ସାମ୍ରାଜ୍ୟକୁ ନିପାତ କରିବା ପାଇଁ ଯୋଜନା ପ୍ରସ୍ତୁତକରି ଆରମ୍ଭ କରିଛି ଅଭିଯାନ । ବର୍ତ୍ତମାନ ପୋଲିସ ସାମାଜିକ ଦୂରତା ରଖିବା ଲାଗି ବିଭିନ୍ନ ସ୍ଥାନରେ ସଚେତନତାକରି ବ୍ୟସ୍ତ ରହିବା ସମୟରେ ଅବକାରୀ ବିଭାଗ ସହ ହାତ ମିଳାଇ ଗୁଟୁଖା ମାଫିଆମାନେ ନିଜ ନିଜ କଳାବଜାର କରି ଚାଲିଛନ୍ତି । ଚଳିତ ମାସରେ ବ୍ରହ୍ମପୁର ପୋଲିସକୁ ଗୁଟୁଖା କଳା ବଜାର ସାମ୍ରାଜ୍ୟକୁ ନିପାତ କରିବାରେ ସଫଳ ହୋଇଛି । ଗୁଟୁଖା ମାଫିଆ ଲକ୍ ଡାଉନ୍ ସମୟରେ ସକ୍ରୀୟ ହୋଇଥିବା ବେଳେ ସଦର ଥାନା ଅଞ୍ଚଳରେ ଗୁଟୁଖା ମାଫିଆମାନେ ନିଜର ଗୁଟୁଖା ପ୍ରସ୍ତୁତ ଜାରି ରଖିଥିବା ଚର୍ଚ୍ଚା ହେଉଛି ।
ସେହି ଇଲାକାରେ ଏବେ ଗୁଟୁଖା ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ଗତବର୍ଷ ଜୁଲାଇ ୩ତାରିଖରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍ଡିପିଓ ସଦର ଥାନା ଅଧିନସ୍ଥ ଭୁତପଲ୍ଲୀ ଓ ବୋରିଗାଁରେ ଚଢ଼ାଉକରି ବିପୁଳ ପରିମାଣରେ ଗୁଟୁଖା ଓ ଗୁଟୁଖା ତିଆରି ମେଶିନ୍ ସହ ୨ କାରଖାନାର ମାଲିକ ବାପା ପୁଅକୁ ଗିରଫକରି କୋର୍ଟଚାଲାଣ କରିଥିଲା । ଏହି ସଂକ୍ରାନ୍ତରେ ସଦର ଥାନା କେଶ୍ ନମ୍ବର ୧୯୩/୧୯୪/୧୯ରେ ୨ଟି ମାମଲା ରୁଜୁକରି ସ୍ଥାନୀୟ କାଳୁପାତ୍ର ସାହିର ବାପା ନାରାୟଣ ସାହୁ ଓରଫ୍ ନାରୁ ସାହୁ, ପୁଅ କିର୍ଷାନ ସାହୁ ଓ ସହଯୋଗୀ ଶରତ ସାହୁକୁ ଗିରଫକରି କୋର୍ଟଚାଲାଣ କରିଥିଲା । ସଦର ଥାନା ଇଲାକାରେ ଗିରଫ ହୋଇଥିବ ନାରୁ ସାହୁ ଗୁଟୁଖା ବେପାରୀର କିଙ୍ଗ ପିନ୍ ବୋଲି ପୋଲିସ ସେତେବେଳେ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଥିଲା । ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳରେ ବେଧଡକ ଗୁଟୁଖା ବ୍ୟବସାୟ ଚାଲିଥିବା ବେଳେ ବର୍ତ୍ତମାନ ଦିଗପହଣ୍ଡି ଅଞ୍ଚଳକୁ ଯାଇ ଗୁଟୁଖା କାରଖାନାକରି ନକଲି ଗୁଟୁଖା ପ୍ରସ୍ତୁତ କରୁଥିବା ବିଶେଷସୂତ୍ରରୁ ଜଣାପଡିଥିଲା । ତେବେ ଗତ ମାସକ ଭିତରେ ବ୍ରହ୍ମପୁର ପୋଲିସକୁ ଗୁଟୁଖା କଳା ବ୍ୟବସାୟୀ ଓ ନକଲି ଗୁଟୁଖା କାରବାରକୁ ରୋକ ଲଗାଇବାରେ ସଫଳ ହୋଇଛି ।
ଚଳିତ ମାସ ୩ତାରିଖରେ ସଦର ଥାନା ଅଧିନସ୍ଥ ଲୁଚାପଡା ନିକଟ ଟେକ୍ନୋ ପାର୍କରେ ଥିବା ଏକ ନକଲି ଗୁଟୁଖା କାରଖାନା ଉପରେ ଚଢ଼ାଉକରି ବିପୁଳ ପରିମାଣରେ ନକଲି ଗୁଟୁଖା ତିଆରି ସାମଗ୍ରୀ ଜବତ କରିବା ସହ ଥାନା କେଶ୍ ନମ୍ବର ୧୦୮/୨୦ରେ ମାମଲା ରୁଜୁକରି ଘଟଣାରେ ୬ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିଲା । ଏହି ଘଟଣାରେ ସେହି ଅଞ୍ଚଳରେ ଜଣେ ବିଜେପି ନେତା ସମ୍ପୃକ୍ତ ଥିବାବେଳେ ତାଙ୍କ ସହ ଆଉ ୫ଜଣ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି । ଏହି କାରଖାନାର କିଙ୍ଗ ପିନ୍ ବା ମାଷ୍ଟର ମାଇଣ୍ଡ କୁହାଯାଉଥିବା କୁକୁଡାଖଣ୍ଡି ବ୍ଲକ୍ ୧୦ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ଏଲ୍.ମୋହନ ଦାସ ସମେତ ୧୧ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ବର୍ତ୍ତମାନ ବିଜେପି ନେତା ଶ୍ରୀ ଦାସଙ୍କ ସହ ୫ଜଣ ଫେରାର ଅଛନ୍ତି । ଗତ ୨୩ତାରିଖ ଦିନ ରାତ୍ରରେ ବଡବଜାର ପୋଲିସ ବିଶେଷସୂତ୍ରରୁ ଖବରପାଇ ଦେଶୀବେହେରା ସାହିର ଏକ ଗୋଦାମ ଉପରେ ଚଢ଼ାଉକରି ବିପୁଳ ପରିମାଣରେ ନକଲି ଗୁଟୁଖା ଜବତକରି ଥାନା କେଶ୍ ନମ୍ବର ୯୪/୨୦ରେ ମାମଲା ରୁଜୁକରି ଘଟଣାରେ ସମ୍ପୃକ୍ତ ବାବୁଲା ସାହୁକୁ ଗିରଫକରି କୋର୍ଟଚାଲାଣ କରିଥିଲା । ସେହିପରି ଗତ ୨୫ତାରିଖ ଦିନ ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଗଣେଶ ନଗର ତୃତୀୟ ଲାଇନ୍ରେ ନକଲି ଗୁଟୁଖା ତିଆରି ହେଉଥିବା ଖବରପାଇ ଉକ୍ତ ଗୋଦାମ ଉପରେ ଚଢ଼ାଉକରି ବିପୁଳ ପରିମାଣରେ ଗୁଣୁଖା ସହ ଗୁଟୁଖା ତିଆରି ସାମଗ୍ରୀ ଜବତ କରିଥିଲା । ଘଟଣାରେ ସମ୍ପୃକ୍ତ ଗୋଦାମ ମାଲିକ ସିଏଚ୍.ରାଜେଶ କୁମାର ସୁବୁଦ୍ଧି ଓ ତାଙ୍କ ସହଯୋଗୀ ବାବୁ ଜେନାଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା । ସୂଚନାଥାଉକି, ନକଲି ଗୁଟୁଖା କାରବାର ଓ କଳା ବ୍ୟବସାୟୀଙ୍କୁ ଧରିବା ଲାଗି ସେଣ୍ଟ୍ରାଲ ଏକ୍ସାଇଜ୍ ବିଭାଗର ଦାୟୀତ୍ୱ ରହିଥିବା ବେଳେ ବିଭାଗ ସବୁ ଜାଣିଶୁଣି ଚୁପ୍ ରହିଛି । ଅବକାରୀ ବିଭାଗର ଦାୟୀତ୍ୱ ପୋଲିସ କରି ନକଲି କଳା ସାମ୍ରାଜ୍ୟକୁ ନିପାତ କରିବାରେ ସଫଳ ହୋଇଛି ।