-
୪୦ଟି ୱାର୍ଡରେ ୮୦ଟି ଟିମ୍ ନିୟୋଜିତ
୮ଦିନରେ ୨୯୮୫୨ପରିବାରର ୧୩୫୨୮୮ଜଣଙ୍କ ହେଲା ଥର୍ମାଲ ସ୍କ୍ରିନିଂ ବ୍ରହ୍ମପୁର: ଏଣିକି ପ୍ରତି ସପ୍ତାହରେ ବ୍ରହ୍ମପୁର ସହରର ସମସ୍ତ ଜନସାଧାଣଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ୪୦ଟି ୱାର୍ଡରେ ବସବାସ କରୁଥିବା ସମସ୍ତ ଘରର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ(ଶରୀର ତାପମାତ୍ରା ଯାଞ୍ଚ) ଯଥା ଜ୍ୱର ଅଛିକି ନାହିଁ ତାହାର ତଥ୍ୟ ସଂଗ୍ରହ କରିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ଗତ ୨୦ତାରିଖ ଦିନ ଏହି ପ୍ରୟାଶ ଆରମ୍ଭ କରିଥିଲା । ପ୍ରଥମରେ ୧୦ଟି ଟିମ୍କୁ ନେଇ ଏହି ସ୍କ୍ରିନିଂ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ୮୦ଟି ଟିମ୍ ନିୟୋଜିତ କରାଯାଇ ପ୍ରତ୍ୟେକ ଦିନ ୫୦ହଜାରରୁ ଊର୍ଦ୍ଧ୍ୱ ଜଣକ ଥର୍ମାଲ ସ୍କ୍ରିନିଂ କରାଯିବା ପାଇଁ ବିଏମ୍ସି ପକ୍ଷରୁ ରୂପରେଖ ପ୍ରସ୍ତୁତ ହୋଇଛି । କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଗମର ସ୍ୱାସ୍ଥ୍ୟ କର୍ମୀ ଯଥା- ଆଶା, ଏଏନ୍ଏମ୍, ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ୭୦ଟି ଟିମ୍ ଗଠିତ ହୋଇଥିବା ବେଳେ ପୂର୍ବରୁ ଥିବା ୧୦ଟି ଟିମ୍ରେ ଡାକ୍ତର ଓ ଅନ୍ୟ ସହଯୋଗୀମାନେ ରହିଛନ୍ତି । କମିଶନର ସୋମବାର ଦେଇଥିବା ସୂଚନା ପ୍ରକାରେ ଗତ ୨୦ତାରିଖ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ଦିନରେ ନିଗମ ଅଞ୍ଚଳର ୨୯୮୫୨ଘରକୁ ଯାଇ ୧୩୫୨୮୮ଜଣଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିବା ଜଣାପଡିଛି । ତେବେ ପ୍ରତି ସପ୍ତାହରେ ସହରବାସୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି ।