ବାଲେଶ୍ୱର– ଆଖି ସାମ୍ନାରେ ପୁଅର ମୃତ୍ୟୁକୁ ଦେଖି ଟଳିପଡିଲା ମାଆ । ଆଜି ଏଭଳି ଏକ ଦୁଃଖଦ ଖବର ହସ୍ତଗତ ହୋଇଛି ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ବାଲିଚୁଆ ଗାଁରେ । ମୃତକ ଦ୍ୱୟ ହେଲେ ରବୀନ୍ଦ୍ର ସିଂ (୩୫) ଓ ତାଙ୍କ ମା ବେଲମଣି (୭୨) ।
ସୂଚନା ଅନୁସାରେ, ଗତ କିଛି ଦିନ ତଳେ ରବୀନ୍ଦ୍ର ଅସୁସ୍ଥ ହୋଇପଡିଥିଲେ । ତେଣୁ ସେ ପ୍ରଥମେ ବରହମପୁର ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନଆସିବାରୁ ପରେ ନୀଳଗିରି ଓ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ହେଲେ ଡ଼ାକ୍ତର ତାଙ୍କ କିଡ଼ନୀ ଖରାପ ହୋଇଯାଇଥିବା କହିବା ସହ ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଥିବାରୁ ଟଙ୍କା ଯୋଗାଡ଼ କରି କଟକ ବଡ଼ ମେଡିକାଲ ଯିବାକୁ ମନସ୍ଥ କରି ସେ ଘରକୁ ଫେରିଆସିଥିଲେ । ଇତିମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇପଡିଥିଲା । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ଏପରି ସ୍ଥିତିରେ ପୁଅର ମୃତ୍ୟୁକୁ ଆଦୌ ସହ୍ୟ କରିପାରିନପାରି ସେହି ଠାରେ ଟଳିପଡିଥିଲେ ତାଙ୍କ ବୃଦ୍ଧା ମା ବେଲମଣି । ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗାଁ ଶ୍ମଶାନରେ ମୃତ ମାଆ ପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଛି ।