ନୂଆଦିଲ୍ଲୀ- କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଟ୍ରମା ସେଣ୍ଟର ଗସ୍ତ କରିବା ସହ କୋଭିଡ-19 ମହାମାରୀକୁ ନିୟନ୍ତ୍ରଣ କରିବା ସଂପର୍କୀତ ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଥିଲେ । ତାଙ୍କର ଏହି ଗସ୍ତ ବେଳେ, ସେ ଡାକ୍ତରଖାନାର ବିଭିନ୍ନ ୱାର୍ଡ଼ ବୁଲିବା ସହ ସେଠାରେ କୋଭିଡ-19 ରୋଗୀଙ୍କ ପାଇଁ ନିର୍ମିତ ଅତ୍ୟାଧୁନିକ ଆଇସୋଲେସନ୍ ବ୍ୟବସ୍ଥା ପରିଦର୍ଶନ କରିଥିଲେ । ଫୋନ୍ ଜରିଆରେ ଭିଡ଼ିଓ କଲ୍ ମାଧ୍ୟମରେ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କେତେକ ରୋଗୀଙ୍କ ସହ ଭାବ ବିନିମୟ ମଧ୍ୟ କରିଥିଲେ ।
ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ବିସ୍ତୃତ ସମୀକ୍ଷା କରିବା ପରେ ବିଭିନ୍ନ ୟୁନିଟର ପ୍ରସ୍ତୁତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । କୋଭିଡ-19ରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ସକାଶେ ଏମ୍ସରେ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଥିବାରୁ ସେ ଏମ୍ସ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ । ଏଭଳି ଚିକିତ୍ସା ବ୍ୟବସ୍ଥାରେ ଡ଼ିଜିଟାଲ ପ୍ଲାଟଫର୍ମ ଏବଂ ଭିଡ଼ିଓ / ଭଏସ୍ କଲ୍ ପ୍ରଯୁକ୍ତିର ବ୍ୟବହାର କରାଯାଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଡକ୍ଟର ହର୍ଷ ବର୍ଦ୍ଧନ ଦେଶର ଜନସାଧାରଣଙ୍କୁ ନିବେନଦ କରିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନକୁ ସେମାନେ ନିଷ୍ଠାର ସହ ପାଳନ କରନ୍ତୁ । କାରଣ ତାହା କୋଭିଡ-19ର ଚେନକୁ ପ୍ରତିହତ କରିବା ପାଇଁ ମୁଖ୍ୟ ଅସ୍ତ୍ର । ଭାରତରେ ଚିହ୍ନଟ ହୋଇଥିବା କରୋନା ହଟସ୍ପଟର ସ୍ଥିତିରେ ଏବେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ସେଗୁଡିକ ଧୀରେଧୀରେ ଅଣ ହଟ୍ ସ୍ପଟରେ ପରିବର୍ତ୍ତିତ ହେଉଛି ।