ପୁରୀ– କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତି କ୍ରମେ ରାଜ୍ୟରେ ଲକ୍ ଡାଉନ୍ କଟକଣା ଜାରୀ ରହିଛି । ଏପରି ସ୍ଥିତିରେ ଆଗକୁ ରଥଯାତ୍ରା ହେବ କି ନାହିଁ । ଯଦି ହେଲା କିପରି ସାମାଜିକ ଦୂରତ୍ୱ ରକ୍ଷା କରାଯିବ, ତାକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଏପରି ସ୍ଥିତିରେ ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜାରୀ କରି ସୁଚିନ୍ତିତ ପରାମର୍ଶ ରଖିଛନ୍ତି ମୁକ୍ତି ମଣ୍ଡପ ।
ଏହି ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଆପତକାଳୀନ ବ୍ୟବସ୍ଥା ଅନୁଯାୟୀ ଯଦି ରଥଯାତ୍ରା ବନ୍ଦ ହୁଏ କୌଣସି ହାନିକାରକ ନୁହେଁ । ତେବେ ସୀମିତ ସେବକ, ସ୍ୱଳ୍ପ ସଂଖ୍ୟକ ପୋଲିସଙ୍କୁ ନେଇ ହୋଇପାରିବ ରଥଯାତ୍ରା । ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍ କଲେ କରୋନା ସଂକ୍ରମଣକୁ ଏଡାଇ ହେବ । ପୋଲିସ ଓ ସେବକଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ କରାଇ ଦିଆଯିବନି । ତେବେ ଯଦି ଅନିବାର୍ଯ୍ୟ କାରଣବଶତଃ ରଥଯାତ୍ରା ନହେଲା କୌଣସି ଅସୁବିଧା ନାହିଁ । ଆପତକାଳୀନ ବ୍ୟବସ୍ଥା ଅନୁଯାୟୀ ସାମ୍ପ୍ରତିକ ଦୁଃସ୍ଥିତିରେ ଏହା ହାନିକାରକ ନୁହେଁ । ଭକ୍ତ ଓ ସେବକ ସୁସ୍ଥ ରହିଲେ ମନ୍ଦିର ଏବଂ ଦେବତା କାନ୍ତିଯୁକ୍ତ ହେବେ । ତେବେ ଏ କ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ସର୍ବଜନ ଗ୍ରାହ୍ୟ ବୋଲି ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଛି ।