ବ୍ରହ୍ମପୁର: ସହରରେ ଗୁଟୁଖା କଳା ବଜାର ଚାଲିଥିବା ବେଳେ ଗତ ୧ସପ୍ତାହ ମଧ୍ୟରେ ବ୍ରହ୍ମପୁର ପୋଲିସକୁ ବଡ ସଫଳତା ମିଳିଛି । ଗୁଟୁଖା କଳାବଜାରୀ ରୋକିବା ସହ ଏଥିରେ ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ଗିରଫ କରିବା ଓ ଲକ୍ଷାଧିକ ଟଙ୍କାର ଗୁଟୁଖା ଓ ଗୁଟୁଖା ତିଆରି ସାମଗ୍ରୀ ଜବତ କରିବାରେ ବ୍ରହ୍ମପୁର ପୋଲିସ ସଫଳ ହୋଇଛି । ଗତ କିଛିଦିନତଳେ ବଡବଜାର ଓ ଗୋଳନ୍ଥରା ଥାନା ଇଲାକାରେ ବିପୁଳ ପରିମାଣରେ ଗୁଟୁଖା ଜବତ ହୋଇଥିବା ବେଳେ ଗତ ଶନିବାର ରାତ୍ରରେ ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଗଣେଶନଗର ତୃତୀୟ ଲାଇନ୍ରେ ଏକ ଗୁଟୁଖା ଗୋଦାମ ଉପରେ ଗୋଷାଣୀନୂଆଗାଁ ପୋଲିସ ଚଢ଼ାଉକରି ୮ବସ୍ତା ଗୁଟୁଖା ଜବତ କରିବା ସହ ଗୁଟୁଖା ତିଆରି ମେଶିନ୍, ଗୋଟିଏ ବସ୍ତା ନାଶପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଏସ୍ପିଡିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି । ଗୁଟୁଖା ପ୍ରସ୍ତୁତିର ମୁଖ୍ୟ ଅଭିଯୁକ୍ତ ରାଜେଶ କୁମାର ସୁବୁଦ୍ଧି ଓ ତାଙ୍କ ସହଯୋଗୀ ବାବୁ ଜେନାଙ୍କୁ ପୋଲିସ ଗିରଫକରି ଥାନା କେଶ୍ ନମ୍ବର ୭୧/୨୦ରେ ରବିବାର କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ସୁମିତ ସୋରେନ ସୂଚନା ଦେଇଛନ୍ତି ।
Related Stories
July 2, 2025
July 2, 2025
July 2, 2025