ବ୍ରହ୍ମପୁର: ଲକ୍ ଡାଉନ୍ ସମୟରେ କିଛି ଦିନର ନିରବତାପରେ ପୁଣି ଲୁଟେରାମାନେ ସକ୍ରୀୟ ହୋଇ ଉଠିଛନ୍ତି । ରବିବାର ବଡି ଭୋରରୁ ସ୍ଥାନୀୟ ଭାବା ନଗର ଛକରେ ଜଣେ ମହିଳା ପ୍ରାତଃ ଭ୍ରମଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ୨ଜଣ ଚେନ୍ ଲୁଟେରା ମହିଳାଙ୍କ ନିକଟକୁ ଯାଇ ସେ ପିନ୍ଧିଥିବା ସୁନା ଚେନ୍କୁ ଟାଣିଥିଲେ । ତେବେ ମହିଳା ଜଣକ ଉକ୍ତ ୪ତୋଳାର ସୁନା ଚେନ୍କୁ ନିଜ ଡ୍ରେସ୍ ସହ ମିଶାଇ ସେପ୍ଟିପିନ୍ ଲଗାଇ ଦେଇଥିବା ଯୋଗୁଁ ଚେନ୍ଟି ସହଜରେ ଟାଣି ହୋଇ ନଥିଲା । ମହିଳା ଜଣକ ତୁରନ୍ତ ନିଜ ଚେନ୍କୁ ଧରିବାକୁ ସଫଳ ହୋଇଥିଲେ । ହେଲେ ଲୁଟେରାମାନେ ସେମାନଙ୍କ କାର୍ଯ୍ୟରେ ବିଫଳ ହୋଇଥିବା ଯୋଗୁଁ ତୁରନ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ବୈଦ୍ୟନାଥପୁର ଥାନା ପୁଲିସ ତୁରନ୍ତ ଘଟଣାସ୍ତଳରେ ପଂହଚିଥିଲେ । ତେବେ ନିକଟରେ ଏକ ଘରୋଇ ବ୍ୟାଙ୍କ ରହିଥିବା ଯୋଗୁଁ ବ୍ୟାଙ୍କର ସିସିଟିଭି ଫୁଟେଜ୍ ନେଇ ପୁଲିସ ସମ୍ପୃକ୍ତ ଲୁଟେରାମାନଙ୍କୁ ଚିହ୍ନିଥିବା ଜଣାପଡିଛି । ଏହି ଘଟଣା ଘଟିବାର ମାତ୍ର ଅଧ ଘଣ୍ଟା ସମୟ ପରେ ଉକ୍ତ ଯୁବକମାନେ ପୁଣି ବଡବଜାର ଥାନା ଅନ୍ତର୍ଗତ ଚନ୍ଦ୍ରମା ସାହି ନିକଟରେ ଜଣେ ମହିଳାଙ୍କୁ ଟାର୍ଗେଟ କରି ତାଙ୍କ ନିକଟରୁ ୨ତୋଳା ଓଜନର ଚେନ୍କୁ ଝାମ୍ପି ନେଇଥିଲେ । ତେବେ ଏଥିରେ ଲୁଟେରାମାନେ ସଫଳ ହୋଇଥିଲେ । ଘଟଣା ପରେ ମହିଳା ଜଣକ ବଡବଜାର ଥାନାକୁ ଯାଇ ଏତଲା ଦେଇଥିବା ଜଣାପଡିଛି । ଘଟଣାପରେ ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାଏ, ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ସମେତ ସମସ୍ତ ଥାନାଧିକାରୀଙ୍କୁ ଡାକି ବୈଠକ କରି ତୁରନ୍ତ ଲୁଟରା ଦଳକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଲୁଟ୍ ଘଟଣାରେ ଗିରଫ ହୋଇ ଜେଲ୍ରୁ ଫେରିଥିବା ଝାମ୍ପରା ଦଳ ଉପରେ ନଜର ରଖିବା ପାଇଁ ମଧ୍ୟ କୁହାଯାଇଛି । ଉପରକ୍ତ ୨ଟି ଘଟଣାରେ ପୋଲିସ ୪ଜଣଙ୍କୁ ଥାନାକୁ ଆଣି ଘଟଣା ବିଷୟରେ ପଚରା ଉଚୁରା କରୁଥିବା ଜଣାପଡିଛି ।
Related Stories
November 25, 2024