
-
ଆଉ କିଛି ଦୋକାନକୁ ମିଳିଲା ଖୋଲା ରଖିବାର ଅନୁମତି
ବାଲେଶ୍ଵର, ୨୬/୪ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଷାଠିଏ ଘଣ୍ଟାର ଶଟ୍-ଡାଉନ୍ ଅବଧି ଆଜି ରବିବାର ସକାଳ ୧୦ଟା ପରେ ଉଠାଇ ନିଆଯାଇଛି। ଫଳରେ ଗତ ତିନିଦିନ ଧରି ପଦାକୁ ପାଦ କାଢିନଥିବା ବାଲେଶ୍ଵର ବାସୀ ଆଜି ସକାଳେ ଭିଡ ଲଗାଇଥିଲେ ଦୋକାନ ଆଗରେ। ବିଶେଷ କରି ତେଜରାତି ଦୋକାନ, ପରିବା ଦୋକାନ ଓ ମାଛମାଂସ ଦୋକାନ ସାମ୍ନାରେ ଲମ୍ବା ଲାଇନ୍ ଲାଗିଥିବାର ଦେଖା ଯାଇଥିଲା। ବଡ ବଡ ଶପିଂ ମଲ୍ ବନ୍ଦ ରହିଥିବା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଥିବା ଗ୍ରୋସରୀ ଦୋକାନରେ ଗହଳି ହୋଇଥିଲା। ତେବେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଭଳି ନିୟମକୁ ଲୋକମାନେ ପାଳନ କରୁଥିବାର ଦେଖା ଯାଇଥିଲା।
ଆଜି ସକାଳେ ଶଟ୍-ଡାଉନ୍ ହଟିବାକୁ ନେଇ ଲୋକଙ୍କ ମନରେ ଥିଲା ଆଶଂକା ଓ ଉତ୍କଣ୍ଠା। ତିନିଦିନ ଧରି ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଞ୍ଚିତ ରହି ନାକେଦମ୍ ହୋଇଥିବା ଲୋକମାନେ ଆଜି ବଜାର ସଉଦା କରିବାକୁ ବାହାରିଥିଲେ। ଫଳରେ ଭିଡ ଲାଗିଥିଲା ବିଭିନ୍ନ ଦୋକାନ ସାମ୍ନାରେ।
ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍-ଡାଉନ୍ ସ୍ଥିତିରେ କିଛିଟା କୋହଳ ମନୋଭାବ ପୋଷଣ କରାଯାଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁସାରେ ପୂର୍ବରୁ ଥିବା ନିୟମଗୁଡିକ ସହ ଆଉ କିଛି ନିୟମ ଘୋଷଣା କରାଯାଇଛି। ତଦନୁସାରେ ୨୪×୭ ଖୋଲା ରହୁଥିବା ସେବା ଗୁଡିକ ଚାଲୁ ରହିବ। କିନ୍ତୁ ସକାଳ ୬ ରୁ ୨ଟା ପର୍ଯ୍ୟନ୍ତ ଅନ୍ୟାନ୍ୟ କିଛି ଦୋକାନ ଖୋଲିବାକୁ ସରକାରୀ ଅନୁମତି ମିଳିଛି।ଯେଉଁ ଦୋକାନ ମାନ ଖୋଲା ରହିବାର ଅନୁମତି ଦିଆଯାଇଛି, ସେଗୁଡିକ ହେଲା, ପାଥୋ ଲ୍ୟାବ୍ ଓ ରୋଗ ପରୀକ୍ଷଣ ଦୋକାନ, ପନିପରିବା ଓ ତେଜରାତି ଦୋକାନ, ପାଉଁରୁଟି କାରଖାନା ଓ ବ୍ରେଡ୍ ଦୋକାନ, ଆମିଷ ଦୋକାନ, ଯଥା : ମାଛ, ମାଂସ, ଅଣ୍ଡା ଦୋକାନ, ଗୋଖାଦ୍ୟ ଓ ପଶୁଖାଦ୍ୟ ଦୋକାନ, ଏଲ୍.ପି.ଜି. ଗ୍ୟାସ ଏଜେନ୍ସି ଓ ପରିବହନ, ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକୀୟ ପାଠ୍ୟପୁସ୍ତକ ଦୋକାନ, କୃଷି ଉପକରଣ ମରାମତି ଦୋକାନ, ସିମେଣ୍ଟ, ଲୁହାଛଡ ଓ ଚିପ୍ସ ତଥା ଗୃହନିର୍ମାଣ ସାମଗ୍ରୀ ବିକ୍ରି କରୁଥିବା ଦୋକାନ, ଫ୍ୟାନ୍, ବଲବ୍ ଏବଂ ବୈଦ୍ୟୁତିକ ଉପକରଣ ବିକ୍ରି କରୁଥିବା ଇଲେକ୍ଟ୍ରିକ୍ ଦୋକାନ, ମୋବାଇଲ୍ ରିଚାର୍ଜ ଦୋକାନ, ବୈଦ୍ୟୁତିକ ସାମଗ୍ରୀ ଯଥା, ଟିଭି, ଫ୍ରିଜ୍ ମରାମତି ଦୋକାନ, କୃଷି ଉତ୍ପାଦ, କୃଷି ପ୍ରକ୍ରିୟାକରଣ, କୃଷି ସେବା ସହ କୃଷି ସଂଲଗ୍ନ ସମସ୍ତ ସେବା ଦେଉଥିବା ଦୋକାନ, ଫଟୋକପି ଦୋକାନ, ଫଳ ଦୋକାନ, ରେଷ୍ଟୁରେଣ୍ଟ୍ କେବଳ ଖାଦ୍ୟ ପାର୍ଶଲ୍ ଦେଇପାରିବେ, ପେଟ୍ରୋଲ ପମ୍ପ କେବଳ ପୌରାଞ୍ଚଳ ଭିତରେ। ଏହାଛଡା ୨୪×୭ ଖୋଲାରହିବ କ୍ଷୀର ଓ କ୍ଷୀରଜାତୀୟ ସାମଗ୍ରୀ ଦୋକାନ, ସ୍ଵାସ୍ଥ୍ୟସେବା ଯୋଗାଉଥିବା ଅନୁଷ୍ଠାନ, ଆମ୍ବୁଲାନ୍ସ, ମେଡିସିନ ଓ ଚଷମା ଦୋକାନ।
ସେହିପରି ଚାହା ଦୋକାନ, ଫୁଡ୍ ଷ୍ଟଲ୍, ହୋଟେଲ୍, ଗହଣା ଦୋକାନ, ବିୟୁଟିପାର୍ଲର୍, ସେଲୁନ୍, ଜିମ୍, ଫାଷ୍ଟ୍ ଫୁଡ୍ ଠେଲା ଦୋକାନ, ଲୁଗା ଦୋକାନ, ମଲ୍, ପାନ, ଗୁଟଖା, ଟବାକୋ ଆଦି ବିକ୍ରି କରୁଥିବା ଦୋକାନ ଇତ୍ୟାଦି ଖୋଲା ରଖିବାର ଅନୁମତି ଦିଆ ଯାଇନାହିଁ। ଏହି ଆଦେଶନାମା ଅବରୋଧ ଅଞ୍ଚଳରେ ଲାଗୁ ହେବ ନାହିଁ ବୋଲି କୁହାଯାଇଥିବା ବେଳେ ଏହା ବାଲେଶ୍ଵର ପୌରାଞ୍ଚଳ ସମେତ ଜଳେଶ୍ବର, ନୀଳଗିରି ଓ ସୋର ଏନ୍.ଏ.ସି. ଅଞ୍ଚଳ ପାଇଁ ବଳବତ୍ତର ରହିବ।