ଇନ୍ଦୋର– ମଧ୍ୟ ପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋରେ କରୋନା ପ୍ରକୋପ ଜାରି ରହିଛି । ଇନ୍ଦୋରରେ ଗତ ୨୪ ଘଂଟାରେ ୯୧ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତ ସଂଖ୍ୟା ୧୧୭୬ରେ ପହଁଚିଛି । ସଂପ୍ରତି ୧୦୧୨ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଅସ୍ଥାୟୀ ଭାବେ ନିର୍ମିତ କ୍ୱାରେନଟାଇନ କେନ୍ଦ୍ରରେ ୯୧୮ ରୋଗୀଙ୍କୁ ଆଇସୋଲେସନରେ ରଖାଯାଇଛି ଏବଂ ଆବଶ୍ୟକ ଚିକିତ୍ସା କରାଯାଉଛି ।
ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଶନିବାର ସୁଦ୍ଧା ସଂକ୍ରମିତ ସଂଖ୍ୟା ୧୦୮୫ ଥିଲା ଯାହା ବୃଦ୍ଧି ଘଟି ରବିବାର ସକାଳ ୧୧ଟା ସୁଦ୍ଧା ୧୧୭୬ରେ ପହଁଚିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୪୯କୁ ବୃ୍ଦ୍ଧି ଘଟିଛି । କରୋନା ମହାମାରୀରେ ୯୯ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଏଥିରୁ ଏକାକୀ ଇନ୍ଦୋରରେ ୫୭ ରୋଗୀଙ୍କ ପ୍ରାଣହାନୀ ଘଟିଛି । ରାଜଧାନୀ ଭୋପାଳରେ ଅଦ୍ୟାବଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୧ ରହିଛି ଏବଂ ୯ ଜଣଙ୍କ ମୃତ୍ୟୁ ଘଟିଛି ।
ସିଏମଏଚଓଙ୍କ କହିବା କଥା ଶନିବାର ସୁଦ୍ଧା ୪୪୧ ନମୂନା ଯାଂଚ କରାଯାଇଛି, ଏଥିରୁ ୯୧ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଅନ୍ୟ ୩୫୦ ରିପୋର୍ଟ ନେଗେଟିଭ୍ ଆସିଛି । ଇନ୍ଦୋରରେ ଏ ପର୍ଯ୍ୟନ୍ତ ୫୫୯୪ ନମୂନାର ଯାଂଚ କରାଯାଇଛି । ସଂପ୍ରତି ୧୦୧୨ ଗୁରୁତର ରୋଗୀଙ୍କ ଚିକିତ୍ସା ଜାରି ରହିଛି । ସେପଟେ କ୍ୱାରେନଟାଇନ କେନ୍ଦ୍ରରେ ୯୧୮ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।
କରୋନାରେ ସବୁଠୁ ଅଧିକ ପ୍ରଭାବିତ ଭୋପାଳ, ଇନ୍ଦୋର ସମେତ ୧୨ ଜିଲ୍ଲାରେ ଲକଡାଉନରେ କୌଣସି କୋହଳ ଦିଆଯାଇ ନାହିଁ । ଭୋପାଳ ଜିଲ୍ଲାପାଳ କହିଛନ୍ତି ଯେ ମେ ୩ ପରେ ସ୍ଥିତିର ସମୀକ୍ଷା କରି ଲକଡାଉନରେ କୋହଳ ଦିଆଯିବ କି ନାହିଁ ତାର ନିର୍ଣ୍ଣୟ ନିଆଯିବ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ, ଭୋପାଳ, ଇନ୍ଦୋର, ଉଜ୍ଜୈନ, ଜବଲପୁର, ଧାର ଓ ଖରଗୋନରେ ଦୋକାନ ବଜାର ବନ୍ଦ ରହିବ । ମଧ୍ୟ ପ୍ରଦେଶର ୧୨ଟି ଜିଲ୍ଲାରେ ଲକଡାଉନ ପୂର୍ବପରି ଜାରି ରହିବ ।