
କୋଲକାତା– ପଶ୍ଚିମବଙ୍ଗରେ କରୋନା ପଜିଟିଭ୍ ଚିହ୍ନଟ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ଜଣେ ଡାକ୍ତର କରୋନାରେ ପ୍ରାଣ ହରାଇବା ହେଉଛି ପ୍ରଥମ ଘଟଣା । କୋଲକାତାର ଏକ ଘରୋଇ ହସ୍ପିଟାଲରେ ଶନିବାର ରାତି ୧ଟା ୩୦ରେ ଡାକ୍ତର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତକ ଡାକ୍ତର ସେଂଟ୍ରାଲ ମେଡିକାଲ ଷ୍ଟୋରର ଦାୟିତ୍ୱ ସମ୍ଭାଳୁଥିଲେ । ଏହି ଷ୍ଟୋରରେ ସରକାରୀ କର୍ମଚାରୀଙ୍କ ଲାଗି ପ୍ରୋଟେକ୍ଟିଭ୍ ସୁଟ୍, ମାସ୍କ, ଗ୍ଲୋଭ୍ସ ଆଦି ସଂରକ୍ଷିତ ରଖାଯାଏ ।
ସୂଚନା ଅନୁଯାୟୀ ଗତ ଅନେକ ଦିନ ହେବ ଡାକ୍ତର ସଲ୍ଟଲେକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ରିପୋର୍ଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ଆଇସୋଲେସନରେ ରଖାଯାଇ ତାଙ୍କର ଚିକିତ୍ସା ଜାରି ରହିଥିଲା । ଶନିବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡିବା ଆରମ୍ଭ ହୋଇଥିଲା । ମାତ୍ର ରାତି ୧ଟା ୩୦ରେ ତାଙ୍କର ପରଲୋକ ଘଟିଥିଲା । ମାତ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ଯାଏ କୌଣସି ସୂଚନା ଦିଆଯାଇ ନାହିଁ ।
ଉଲ୍ଲେଖନୀୟ କେବଳ କୋଲକାତାରେ ୧୫ରୁ ଅଧିକ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ । ଏହା ସହିତ ଏହି ମହାମାରୀରେ ପ୍ରାଣ ହରାଉଥିବା ଲୋକଙ୍କୁ ଅନ୍ତିମ ସଂସ୍କାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ କରାଯାଉଛି । ଏବେ ଡାକ୍ତରଙ୍କ ମୃତ୍ୟୁ ପରେ ଡବ୍ଲ୍ୟୁଏଚଓର ଗାଇଡ୍ ଲାଇନ୍ ପାଳନ ଆରମ୍ଭ ହୋଇ ଯାଇଛି ।