-
ନିରିହ ଲୋକଙ୍କୁ ବିନା କାରଣରେ ପ୍ଳାଷ୍ଟିକ ପାଇପରେ ପିଟିଲେ, ଅନେକେ ଆହତ
ବୌଦ୍ଧ – କରୋନା ଆତଙ୍କରେ ସାରା ରାଜ୍ୟ ଥରହର ହେଉଥିବା ବେଳେ ବୌଦ୍ଧ ଜିଲାର ଜନୈକ ସହକାରୀ ଜିଲାପାଳଙ୍କ ଦାଦାଗିରି କରୋନା ଆତଙ୍କରୁ ବଳିଯାଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ସହରରେ ରବିବାର ଦିନ ସକାଳୁ ଲୋକେ କିଏ ପରିବା କିଣିବା ପାଇଁ ତ ଆଉ କିଏ ଡାକ୍ତରଖାନା ଯିବା ପାଇଁ ତ ଆଉ କିଏ ମେଡିସିନ କିଣିବା ଓ ଅନ୍ୟ ଜରୁରୀ କାମରେ ଯାଉଥିବା ନିରିହ ଲୋକଙ୍କୁ ସହକାରୀ ଜିଲାପାଳ ଅବିନାସ ପାଣ୍ଡିଆ ପିଟିଥିବା ଥିବା ନେଇ ଗୁରୁତର ଅଭିଯୋଗ ହୋଇଅଛି । ଲକ୍ ଡାଉନ ଆରମ୍ଭ ହେବା ଦିନ ଠାରୁ ବୌଦ୍ଧ ସହର ସମେତ ସମଗ୍ର ଜିଲାରେ ପୋଲିସ ବ୍ୟାପକ ପଇଁତରା ମାରୁଥିବା ସହ ବିନା କାମରେ କେହି ବାହରକୁ ବାହାରିଲେ କିମ୍ବା ବୁଲାବୁଲି କଲେ ତାଗିଦ୍ କରିବା ଏବଂ କେତେକ କ୍ଷେତ୍ରରେ ଆର୍ଥିକ ଦଣ୍ଡ ମଧ୍ୟ ଆଦାୟ କରୁଥିଲା । ଲୋକେ କରୋନା ଭୟରେ ଘରୁ ବାହାରିବା ବନ୍ଦ କରିଦେଇଥିବା ବେଳେ କେବଳ ଜରୁରି କାମରେ ବାହାରୁଥିବା ଦେଖାଯାଉଛି । ତଥାପି କେତେକ ଅମାନିଆଙ୍କୁ ଧରିବା ଓ ଦଣ୍ଡ ପ୍ରଦାନ କରିବା ପାଇଁ ପୋଲିସ ତା’ର କର୍ତବ୍ୟ କରୁଥିବା ବେଳେ ସହକାରୀ ଜିଲାପାଳ ନିଜେ ସହରରେ ବୁଲି ବୁଲି ଖଣ୍ଡିଏ ପ୍ଳାଷ୍ଟିକ ପାଇପ୍ ସାହାଯ୍ୟରେ ଲୋକଙ୍କୁ ମନଇଚ୍ଛା ବାଡେଇବା ଆରମ୍ଭ କରିଦେଇଥିଲେ । ଜଣେ ଗ୍ରାମବାସୀଙ୍କୁ ସୁଦସାହି ଛକରେ କିଛି ନପଚାରି ହଠାତ୍ ବାଡେଇବାକୁ ଆରମ୍ଭ କରିଥିଲେ । ମାଡ ଏତେ ପ୍ରବଳ ହେଲାଯେ ଗ୍ରାମବାସୀ ଜଣକ ଚେତାଶୂନ୍ୟ ହୋଇ ସେହିଠାରେ ତଳେ ପଡିଯାଇଥିଲେ , ପରେ ଲୋକେ ଉକ୍ତ ଗ୍ରାମବାସୀଙ୍କ ମୁହଁରେ ପାଣି ମାରିବା ପରେ ତାଙ୍କର ଚେତା ଫେରିଥିଲା । ଲୋକେ ତାଙ୍କୁ ମେଡିକାଲ ନେବାକୁ ଚାହିଁବାରୁ ସେ ଭୟଭୀତ ହୋଇ ଗାଁକୁ ପଳାଇଥିଲେ । ସେହିପରି ଅମରେଶ ପାତ୍ର ନାମକ ଜଣେ ଯୁବକ ନିଜ ଘର ବାରଣ୍ଡାରେ ଛିଡା ହୋଇଥିବା ବେଳେ ତାକୁ ପ୍ଲାଷ୍ଟିକ ପାଇପ ସାହାଯ୍ୟରେ ବାଡେଇଥିଲେ , ସେଥିରେ ସେ ଆହାତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ସୁରଜ ଅଗ୍ରୱାଲା ନାମକ ଜଣେ ଯୁବକ ନିଜ ବାପାଙ୍କ ସହ ମେଡିକାଲରୁ ଫେରୁଥିବା ବେଳେ କିଛିନପଚାରି ତାଙ୍କୁ ମଧ୍ୟ ବାଡେଇଥିବା ଅଭିଯୋଗ ହୋଇଛି । ସହକାରୀ ଜିଲାପାଳ ଅବିନାସ ପାଣ୍ଡିଆ ଗତ କିଛି ଦିନ ହେଲା ପୋଲିସର ସହାୟତା ବିନା ନିଜେ ନିଜେ ମନଇଚ୍ଛା ସହର ତଥା ଜିଲାର ବିଭିନ୍ନ ଅଂଚଳରେ ଲୋକଙ୍କୁ ବାଡେଇବା, ଗାଡି ଯାଂଚ କରିବା, ମନଇଚ୍ଛା ଗାଡି ଚାଳକ ଏବଂ ନିରିହ ଦୋକାନୀଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ବେଳେ ରବିବାର ଦିନ ତାଙ୍କ ବ୍ୟବହାର ଏବଂ ଉଦଣ୍ଡତା ଚରମ ସୀମାରେ ପହଁଚିଥିଲା । ତାଙ୍କର ଓøଦ୍ଧତ୍ୟ ବ୍ୟବହାର ଏବଂ କାମକୁ ନେଇ ଜନସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଜିଲାପାଳ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।