-
ସିଲ୍ ହେଲା ରାଉରକେଲା ନାଲାରୋଡ ଅଂଚଳ
ରାଉରକେଲା – ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବରୁ ୩ ଜଣ ଆକ୍ରାନ୍ତ ଗତକାଲି ସୁଦ୍ଧା ରୋଗମୁକ୍ତ ହୋଇ ସାରିବା ପରେ ପୁର୍ନବାର ଏହି ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ ସୂଚନା ଅନୁଯାୟୀ, ଏମାନଙ୍କ ଭିତରେ ଜଣେ ୬୭ ବର୍ଷିୟ ମହିଳା ସାଙ୍ଗକୁ ଜଣେ ୨୩ ବର୍ଷିୟ ଯୁବକ ଓ ଅନ୍ୟଜଣେ ୬୦ ବର୍ଷିୟ ବୟସ୍କ ବ୍ୟକ୍ତି ରହିଛନ୍ତି । ଏମାନଙ୍କ ଭିତରୁ ଏହି ମହିଳା ଓ ଯୁବକଙ୍କୁ ୪ର୍ଥ ଓ ୫ମ ନମ୍ବର ଭାବେ ଗଣା ଯାଉଥିବା ବେଳେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ୬ଷ୍ଠ ବୋଲି ଗଣାଯାଉଛି । ତେବେ ସୂଚନା ମୁତାବକ ୪ର୍ଥ ଓ ୫ମ ଆକ୍ରାନ୍ତ ବିଶ୍ରା ସ୍ଥିତ ଗୁଡଗୁଡ ଯୋରରୁ ବାହାରିଥିବା ୩ୟ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ, ୬ଷ୍ଠ ଜଣଙ୍କ ବିଷୟରେ ଯାଂଚ ଚାଲିଛି । ଏହା ଛଡା ୪ର୍ଥ, ୫ମ ଆକ୍ରାନ୍ତ ହେଉଛନ୍ତି ବିଶ୍ରାର ଗୁଡଗୁଡ ଯୋର ଅଂଚଳର ବାସିନ୍ଦା ଓ୬୦ ବର୍ଷିୟ ପୁରୁଷ ଜଣକ ରାଉରକେଲା ନାଲା ରୋଡ ଅଂଚଳର ବୋଲି ଜଣାପଡିଛି ।
ଏହି ଖବର ପାଇ ଆଜି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଆରଏମସି କମିଶନର ଓ ରାଉରକେଲା ଏସପି ପ୍ରମୁଖ ଆଜି ରାଉରକେଲା ମହାନଗର ଅଫିସରେ ଏକ ଜରୁରୀ ବୈଠକ କରିବା ପରେ ସେମାନେ ସେହି ଅଂଚଳକୁ ଗସ୍ତ କରିଥିଲେ । ପରେ ନାଲାରୋଡ ଅଂଚଳକୁ ଲାଗି ରହିଥିବା ଅନେକ ଅଂଚଳକୁ ସିଲ୍ କରି କଂଟେନମେଂଟ ଯୋନ ଭାବେ ଘୋଷଣା କରାଯାଇଛି । ସେଗୁଡିକ ହେଲା, ଜନତା ନିବାସ ଲେନ ଠାରୁ ମହତାବ ରୋଡ ଲେନ, ମୁଖ୍ୟରାସ୍ତାର ମଧ୍ୟଭାଗ, ଯାହାକି ଜନତା ନିବାସ ଲେନ ଓ ଅନ୍ୟପଟ ପରିବା ଓ ଅଣ୍ଡା ଲେନକୁ ସ୍ପର୍ଶ କରୁଥିବା ପଏଂଟ, ଡେଲି ମାର୍କେଟ ପରିବା ବଜାର ଅଂଚଳରୁ ରେଳବାଇ ଲାଇନ ବାଉଁଣ୍ଡାରୀ, ଆନନ୍ଦଭବନ ଲେନ ଠାରୁ ରିଂ ରୋଡ ସ୍ପର୍ଶ କରୁଥିବା ଅଂଚଳ, ଆନନ୍ଦଭବନ ଲେନ ଠାରୁ ବିଗବଜାର ସ୍ପର୍ଶ କରୁଥିବା ମଧ୍ୟଭାଗ ନେତାଜୀ ମାର୍ଗ ଦେଇ ରେଳବାଇ ଲାଇନ ଛୁଇଁଥିବା ବିଗବଜାର ପାଖ ଲେନକୁ କଂଟେନମେଂଟ ଯୋନ ଭାବେ ଆଜି ଘୋଷଣା କରାଯାଇଛି । ସେହିଭଳି ଏହି ଯୋନ ସଂଲଗ୍ନ କିଛି ଅଂଚଳକୁ ବଫର ଯୋନ ଭାବେ ଚିହ୍ନଟ କରାଯାଇଛି । ସେଗୁଡିକ ହେଲା ପାୱାରହାଉସ ରୋଡ ଠାରୁ ରିଂରୋଡ ଛୁଇଁଥିବା ଅଂଚଳ, ତେଲୁଗୁପଡା ନିକଟ ରେଳ ଲାଇନ ପାଚେରୀକୁ ଛୁଇଁଥିବା ଲାଲବିଲ୍ଡିଂ ଅଂଚଳ, ଗୋଟିଏ ପଟେ ପାୱାର ହାଉସ ରୋଡ ଓ ଅନ୍ୟପଟେ ଲାଲା ବିଲ୍ଡିଂ ରୋଡ ଠାରୁ ରେଳ ଲାଇକୁ ଛୁଇଁଥିବା ମୁଖ୍ୟରାସ୍ତା ଅଂଚଳ, ମଧୁସୁଦନ ମାର୍ଗରୁ ରିଂ ରୋଡ ରାସ୍ତାକୁ ଛୁଇଁଥିବା ଅଂଚଳ, ମଧୁସୁଦନ ଛକ ଓ ରେଳ ଷ୍ଟେସନ ପ୍ରସ୍ଥାନ ଫାଟକ ଅଂଚଳକୁ ବଫର ଯୋନ ଭାବେ ନିଆଯାଇଛି । ବିଶ୍ରାର ସିଲ୍ ଅଂଚଳ ପୂର୍ବଭଳି ରହିବ ବୋଲି କୁହାଯାଇଛି ।ଏହି ସବୁ ଅଂଚଳକୁ ନିୟମିତ ଡାକ୍ତର ଟିମ୍ ଯିବା ସହ ହୋଲସେଲ୍ ଦୋକାନ ଖୋଲା ରହିବ । ଏହି ସବୁ ଅଂଚଳକୁ କିଭଳି ରାସନ ସାମଗ୍ରୀ ପହଁଚିବ ତା’ର ବ୍ୟବସ୍ଥା କରାଯାଇଛି ।