-
ବିରଜାପୁର ପଚାଂୟତରେ ଆସନ୍ତା ୧୦ ତାରିଖ ଯାଏଁ କଂଟେନମେଂଟ କଟକଣା ବଳବତର ରହିବ
ଯାଜପୁର – ଯାଜପୁର ଜିଲ୍ଲାରେ ଗତକାଲି ଗୋଟିଏ ଦିନରେ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଂଚଳକୁ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ଆବଦ୍ଧାଚଂଳ ମଧ୍ୟରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ର ଦୁଇଟି ପଚାଂୟତ କଟିକଟା ଓ ମଲ୍ଲିକାପୁର ରହିଛି । କଟିକଟା ପଚାଂୟତର କଟିକଟା ଓ ବିହିପୁର ଗାଁ ରହିଥିବା ବେଳେ ମଲ୍ଲିକାପୁର ପଚାଂୟତର ମହାନ୍ତିପାଟଣା ଓ ମଲ୍ଲିକାପୁର ଗ୍ରାମର କିଛି ଅଂଶ ରହିଛି । ଆଜି ସକାଳ ୮ଟାରୁ ୧୦ ତାରିଖ ସକାଳ ୮ଟା ଯାଏଁ ପ୍ରଶାସନର ଏହି କଟକଣା ବଳବତର ରହିବ । ଏହି ନୂତନ କଂଟେନମେଂଟ ଜୋନ୍ ଫଳରେ ଦୁଇ ପଚାଂୟତର ୧୪୨୨ ପରିବାର ଏବଂ ୬୩୫୩ ଲୋକ ପ୍ରଭାବିତ ହେବେ । କଂଟେନମେଂଟ ଜୋନ୍ ର ନୋଡ଼ାଲ ଅଫିସର ଭାବେ ଦଶରଥପୁର ବିଡ଼ିଓ ନାରାୟଣ ଚନ୍ଦ୍ର ନାୟକ (ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ), ତହସିଲଦାର ସୌଭାଗ୍ୟ ବେହେରା (ପରିମଳ ବ୍ୟବସ୍ଥା) ଏବଂ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଇନଚାର୍ଜ ଡ଼ାକ୍ତର ଉମାକାନ୍ତ ମଲ୍ଲିକ ସ୍ୱାସ୍ଥ୍ୟ ସେବା ଦାୟୀତ୍ୱରେ ରହିଛନ୍ତି । ଅନ୍ୟପକ୍ଷରେ ନିଷିଦ୍ଧାଚଂଳ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି । ଏଥି ସହିତ ପୂର୍ବରୁ ଗତ ୨୦ ତାରିଖରେ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଥିବା ବିରଜାପୁର ପଚାଂୟତରେ ଆସନ୍ତା ୧୦ ତାରିଖ ଯାଏଁ କଂଟେନମେଂଟ କଟକଣା ବଳବତର ରହିବ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।