ଭୁବନେଶ୍ୱର – ମୁଁ ଏବଂ ପ୍ରଧାନମନ୍ତ୍ରୀ ଗଠନମୂଳକ ସହଯୋଗରେ ବିଶ୍ୱାସ କରୁ । ରାଜ୍ୟର ବିକାଶ ଆମେ କରି ଚାଲିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସ୍ଥାନୀୟ ଏକ ତାରକା ହୋଟେଲରେ ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଲିଟେରାରୀ ଫେଷ୍ଟିଭାଲ (ସାହିତ୍ୟ ଉତ୍ସବ) – ୨୦୧୯ରେ ଦେଇଥିବା ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି । ନିର୍ବାଚନ ପୂର୍ବରୁ ପ୍ରଧାନ ମନ୍ତ୍ରୀଙ୍କ ସହିତ କୌଣସି ତିକ୍ତତା ନ ଥିଲା, ଏବେ ବି ନାହିଁ । ସକରାତ୍ମକ ସହଯୋଗ ରହିଛି । ସମ୍ପୃକ୍ତ ସମ୍ବାଦପତ୍ରର ଏଡିଟୋରିଆଲ ଡାଇରେକ୍ଟର ପ୍ରଭୁ ଚାୱଲାଙ୍କ ସହିତ ହୋଇଥିବା ଆଲୋଚନାରେ ମୁଖ୍ୟମନ୍ତ୍ରୀ ତାଙ୍କର କେତେକ ପ୍ରଶ୍ନର ଉତର ଦେଇ କହିଥିଲେ ଯେ, ରାଜନୀତିରୁ ଅବସର ନେଲା ପରେ ସେ ସାହିତ୍ୟ କ୍ଷେତ୍ରରେ ପ୍ରବେଶ କରିବେ । ରାଜନୀତିକୁ ଆସିବା ପୂର୍ବରୁ ସେ ତିନୋଟି ବହି ଲେଖିଥିଲେ । ଆତ୍ମ ଜୀବନୀ ଲେଖିବା ପାଇଁ ସେ ଚିନ୍ତା କରି ନାହାନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଯଶଶ୍ୱୀ ସାହିତ୍ୟିକ ମାନଙ୍କୁ ମନେ ପକାଇଥିଲେ । ସାମାଜିକ ବିକାଶ ପାଇଁ ସାହିତ୍ୟ ହେଉଛି ଅପରିହାର୍ଯ୍ୟ ବୋଲି କହିଥିଲେ । ବଡ଼ି ଫିଟ୍ନେସ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ମୁଁ ସ୍ୱଳ୍ପ ଆହାର କରେ ଏବଂ ଦୁଇଥର ବ୍ୟାୟାମ କରେ । କାଶ୍ମୀରରେ ୩୭୦ (୩୫-ଏ) ଧାରା ଉଚ୍ଛେଦକୁ ସେ ସମର୍ଥନ କରନ୍ତି । ଶାରଳା ମହାଭାରତ ଓଡ଼ିଆ ସାହିତ୍ୟର ପରିବର୍ତନ ବାହକ । ଔପନ୍ୟାସିକ ଫକୀର ମୋହନ ସେନାପତି ତାଙ୍କର ପ୍ରିୟ ଲେଖକ । କାରଣ ସେ ନାରୀ ଶିକ୍ଷାର ପ୍ରସାର ଉପରେ ସେ ଗୁରୁତ୍ୱ ଦେଇଥିଲେ । ଭଲ କ୍ରିକେଟିୟର କିଏ ବୋଲି ତାଙ୍କୁ ପଚାରାଯିବାରୁ ସେ କହିଲେ ଯେ, ବିରାଟ କୋହଲି ତାଙ୍କର ପ୍ରିୟ ଖେଳାଳୀ । ୫-ଟି ମନ୍ତ୍ର ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଇଛି ବୋଲି ସେ କହିଥିଲେ । ମୋର ଉତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ବାଛିବେ ବୋଲି ସେ ତାଙ୍କ ମନର କଥା କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, ପ୍ରଶାସକ, ରାଜନେତା, ସମାଜସେବୀ, ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।
Related Stories
November 22, 2024