
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
କୋଭିଡ-୧୯ ର ମୁକାବିଲା ପାଇଁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ରେ ଚାରିଆଡ଼େ ସରକାରଙ୍କ ତରଫରୁ ଲକ ଡାଉନ ଘୋଷଣା କରାଯାଇଛି।ଏହାର ପ୍ରଭାବରେ ବହୁ ଅସହାୟ ଓ ଗରୀବ ଶ୍ରେଣୀର ଲୋକମାନେ ବାହାରକୁ ଯାଇ ନପାରି ଗୋଟିଏ ଜାଗାରେ ଭୋକ ଉପାସରେ ଦିନ କାଟୁଛନ୍ତି। ଖାଦ୍ୟ ଯୋଗାଡ଼ ସେମାନଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏହି ବିପତ୍ତି ସମୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲଣ୍ଡେଇ ସାହି ର ହେଲପିଙ୍ଗ ହ୍ୟାଣ୍ଡ ସଂସ୍ଥା ସାହାଯ୍ୟ କରିବାକୁ ଆଗେଇ ଆସିଛି।ପ୍ରତ୍ୟେକ ଦିନ ପ୍ରାୟ ୧୦୦ଜଣ ଲୋକଙ୍କୁ ନିରନ୍ତର ରନ୍ଧା ଖାଦ୍ୟ ଯୋଗାଇ ଆସୁଛନ୍ତି।ରାସ୍ତାରେ ଯାଉଥିବା ଲୋକ, ବିଭିନ୍ନ ସ୍ଥାନରେ ରହୁଥିବା ବହୁ ଅସହାୟ ଓ ଗରୀବ ଲୋକଙ୍କୁ ବୁଲି ବୁଲି ସଙ୍ଗଠନ ର ସଦସ୍ୟ ମାନେ ଖାଦ୍ୟ ପୁଡ଼ିଆ ବଣ୍ଟନ କରୁଛନ୍ତି।ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଯୁବକ ଏକାଠି ହୋଇ ନିଜସ୍ୱ ଖର୍ଚ୍ଚରେ ଏଭଳି ମହାନ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହାଦେଖି ବହୁ ବଦାନ୍ୟ ବ୍ୟକ୍ତିମାନେ ମଧ୍ୟ ଏବେ ସହାୟତାର ହାତ ବଢ଼େଇ ଛନ୍ତି। ହେଲପିଙ୍ଗ ହ୍ୟାଣ୍ଡ ର ଏଭଳି ସମାଜସେବା କାର୍ଯ୍ୟକୁ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଜନସଧାରଣ ପ୍ରଶଂସା କରିଛନ୍ତି।